ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତକାଲି ମାଟ୍ରିକ ଖାତା ଦେଖାକୁ ନେଇ ହାଇକୋର୍ଟ ଏକ ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିରେ ଓଷ୍ଟା ପକ୍ଷରୁ ହୋଇଥିବା ଆବେଦନ ଉପରେ ବିଚାର କରି ମାଟ୍ରିକ ଖାତା ଦେଖା କେନ୍ଦ୍ରରେ କୋଭିଡ-୧୯ କଟକଣା ମାନିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଖାତା ଦେଖିବାକୁ ୧୦ କି.ମି ଠାରୁ ଅଧିକ ଦୂରରୁ ଆସୁଥିବା ଶିକ୍ଷକ ମାନଙ୍କ ପାଇଁ ରହିବା, ଖାଇବା ବ୍ୟବସ୍ଥା କରିବା ପାଇଁ ହାଇକୋର୍ଟ ପକ୍ଷରୁ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଆଜି ସ୍କୁଲ ଓ ଗଣ ଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି ।
ମନ୍ତ୍ରୀ କହିଛନ୍ତି ମାଟ୍ରିକ ଖାତା ଦେଖିବା ପାଇଁ ୧୦ କି.ମି ଦୂରରୁ ଆସୁଥିବା ଶିକ୍ଷକଙ୍କୁ ଚିହ୍ନଟ କରାଯିବ । ଏହାସହ ୧୦ କି.ମି ବ୍ୟବଧାନ ଭିତରେ ଖାତା ଦେଖା କେନ୍ଦ୍ର କରାଯିବ । ଆବଶ୍ୟକ ପଡିଲେ ଖାତା ଦେଖା କେନ୍ଦ୍ର ବୃଦ୍ଧି କରାଯିବ । ଏନେଇ ଆସନ୍ତା ସୋମବାର ଦିନ ଏକ ବୈଠକ ବସିବା ପରେ ନିଷ୍ପତି ନିଆଯିବ । ସୂଚନା ଯୋଗ୍ୟ ଚଳିତ ବର୍ଷ ପ୍ରାୟ ସାଢେ ୫ଲକ୍ଷ ଛାତ୍ରାଛାତ୍ରୀ ମାଟ୍ରିକ ପରିକ୍ଷା ଦେଇଥିଲେ । ତେବେ ଗତ ଫେବୃଆରୀ ମାସରେ ମାତ୍ର ଗୋଟାଏ ଦିନ ପାଇଁ ମାଟ୍ରିକ ଖାତା ଦେଖା ହୋଇଥିଲା । ଏହା ପରେ ଲକ୍ ଡାଉନ୍ ପାଇଁ ଖାତା ଦେଖା ବନ୍ଦ କରିଦିଆଯାଇଥିଲା । ଆସନ୍ତା ୨୦ ତାରିଖ ଦିନ ଠାରୁ ଖାତା ଦେଖା ଆରମ୍ଭ ହେବେ । ଜୁଲାଇ ଶେଷ ଶୁଦ୍ଧା ମାଟ୍ରିକ ଖାତା ଦେଖା ସରିବ ବୋଲି ଅନୁମାନ କରାଯାଉଛି ବୋଲି ମନ୍ତ୍ରୀ ସମୀର ଦାସ ସୂଚନା ଦେଇଥିଲେ ।