ଭୁବନେଶ୍ୱର(ଏଟିଆର ବ୍ୟୁରେ): ଚାରିଆଡେ ଏବେ କରୋନା ଭାଇରସ ବ୍ୟାପିବାରେ ଲାଗିଛି । ତେବେ ଏହାର ପ୍ରଭାବ ସବୁଠାରୁ ଅଧିକ ଛାତ୍ରାଛାତ୍ରୀଙ୍କ ପାଠ ପଢରେ ପଡିଛି । ବହୁ ଦିନ ହେବ ସ୍କୁଲ, କଲେଜ ବନ୍ଦ ହୋଇ ରହିଛି । ତେବେ ଚଳିତ ବର୍ଷ ସିଲାବସର ୨୫ ପ୍ରତିଶତ ପାଠ ଛାତ୍ରାଛାତ୍ରୀ ମାନେ ନିଜେ ପଢିବେ । ଏନେଇ ରାଜ୍ୟରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକର ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର । ଏହାସହ ଗତକାଲି ଏନେଇ ଗାଇଡ ଲାଇନ ଜାରି କରାଯାଇଛି । ଗାଇଡ ଲାଇନ ଅନୁସାରେ ୨୦୨୦-୨୧ ଶିକ୍ଷାବର୍ଷରୁ ଉଭୟ ୟୁଜି ଓ ପିଜିସ୍ତରରେ ଏହା ଲାଗୁ ହେବ । କ୍ଲାସରୁମରେ ପଢ଼ାନହେଲେ ମଧ୍ୟ ଏହି ପଢ଼ିବାରେ ଶିକ୍ଷକମାନେ ଗାଇଡ୍ କରିବେ । ସ୍ନାତକସ୍ତରରେ ୨୦୧୯-୨୦ ଶିକ୍ଷାବର୍ଷରେ ନାମ ଲେଖିଥିବା ଉଭୟ ସମ୍ମାନ ଓ ପାସ୍ ଛାତ୍ରଛାତ୍ରୀଙ୍କଠାରୁ ଏହି ନିୟମ ଲାଗୁ ହେବ । ପ୍ରତି ବିଷୟର ୪ଟି ୟୁନିଟର ୨୫% ପଢ଼ାହେବ । ଯାହାକୁ ପୂର୍ବରୁ ଚିହ୍ନଟ କରାଯିବ । ସିଲାବସ୍ରେ ଚିହ୍ନଟ ହୋଇଥିବା ୨୫% ସ୍ୱ-ଅଧ୍ୟୟନ ଅଂଶଗୁଡ଼ିକ ନିୟମିତ କ୍ଲାସରୁମ୍ରେ ପଢ଼ା ହେବନାହିଁ ।
ବରଂ ବହି, ରେକଡିଂ ହୋଇଥିବା ଅଧ୍ୟାପକଙ୍କ କ୍ଲାସ୍, ପାୱାର ପଏଣ୍ଟ୍ ଉପସ୍ଥାପନା, ଆନିମେଟେଡ୍ ଭିଡ଼ିଓ ଆଦିରୁ ଛାତ୍ରଛାତ୍ରୀ ପ୍ରେରଣା ପାଇପାରିବେ । ୟୁଜି ବା ସ୍ନାତକସ୍ତରରେ ସମାନତା ଆଣିବା ପାଇଁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ବହି ଓ ସ୍ୱ-ଅଧ୍ୟୟନ ସାମଗ୍ରୀ ପ୍ରସ୍ତୁତ କରାଯିବ । ଏ ବାବଦରେ ଆବଶ୍ୟକ ହେଲେ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକର ସାହାଯ୍ୟ ନିଆଯିବ । ଛାତ୍ରଛାତ୍ରୀଙ୍କୁ ଏ ବାବଦରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକ ଆବଶ୍ୟକ ସହଯୋଗ କରିବେ ।ସିଲାବସର ୨୫% ସ୍ୱ-ଅଧ୍ୟୟନରେ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ ପାଇଁ ୪ଟି ଡାଉଟ୍ କ୍ଲିୟରିଂ କ୍ଲାସ୍ ଅନୁଷ୍ଠିତ ହେବ । ପ୍ରଥମ କ୍ଲାସ୍ ଶିକ୍ଷାବର୍ଷ ଆରମ୍ଭରୁ ଅନୁଷ୍ଠିତ ହେବ । ଶିକ୍ଷାବର୍ଷ ମଝିରେ ଗାଇଡ୍ କରିବା ପାଇଁ ଦୁଇରୁ ୩ଟି କ୍ଲାସ୍ ଓ ବର୍ଷ ଶେଷରେ ଆଉ ଗୋଟିଏ କ୍ଲାସ୍ ହେବ ବୋଲି ବିଭାଗ ନିର୍ଦ୍ଦେଶ ଦେଇଛି । କ୍ଲାସ୍ଗୁଡ଼ିକରେ ଛାତ୍ରଛାତ୍ରୀମାନେ ଯାହା ସନ୍ଦେହ ଥିବ, ପଚାରି ବୁଝିବେ । ୨୫% ସ୍ୱ-ଅଧ୍ୟୟନ ବାବଦରେ ପ୍ରତି ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ ତାଙ୍କର ଏକାଡେମିକ୍ କାଉନସିଲର ଅନୁମୋଦନ ଗ୍ରହଣ କରିବେ । ପ୍ରଥମ ଥର ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।