ମୁମ୍ବାଇ (ଏଟିଆର ବ୍ୟୁରୋ):ଆଜି ରିିଲିଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଲାଡଲୀ ଈଶା ଅମ୍ବାନୀଙ୍କ ବାହାଘର । ଏନେଇ ସମ୍ପୂର୍ଣ୍ଣ ବୋହୂ ବେଶରେ ସଜେଇ ହୋଇଛି୨୭ ମହଲାର ‘ଆଣ୍ଟିଲ୍ଲିଆ’ । ଦୁନିଆର ସବୁଠାରୁ ଦାମୀ ଘରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାର ମୁଖ୍ୟ ଦ୍ୱାର ସୁନେଲି ରଙ୍ଗର ର୍ୟାପିଂ ସହିତ ଲାଲ୍ ଗୋଲାପରେ ସଜା ହୋଇଛି । ଏହାର ମଝିରେ ମଝିରେ ଧଳା ରଙ୍ଗର ଝାଳର ଟଙ୍ଗା ଯାଇଛି ।
ମିଡିଆ ରିପୋର୍ଟ ମୁତାବକ ଏହି ବାହାଘର ଭାରତୀୟ ଉଦ୍ୟୋଗ ଜଗତରେ ସବୁଠାରୁ ଦାମୀ ବାହାଘର ହୋଇପାରେ । ଏଥିରେ ପାଖାପାଖି ୧୦ କୋଟି ଡଲାର ମାନେ ୭୨୩ କୋଟି ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ଈଶାଙ୍କର ବାହାଘର କୌଣସି ପ୍ୟାଲେସ କିମ୍ବା ହୋଟେଲରେ ହେଉନାହିଁ ବରଂ ତାଙ୍କ ଘର ‘ଆଣ୍ଟିଲ୍ଲିଆ’ରେ ହିଁ ହେଉଛି ।
ଏହି ବାହାଘରରେ କେବଳ ଦୁଇଟି ପରିବାରର ପାଖାପାଖି ୬୦୦ ସମ୍ପର୍କୀୟ ସାମିଲ ହେବେ । ବାହାଘରର ଗୋଟେ ଦିନ ପରେ ମାନେ ଶୁକ୍ରବାର ଦିନ ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସନରେ ରିସେପସନ୍ ପାର୍ଟିର ଆୟୋଜନ କରାଯାଇଛି । ଏହି ପାର୍ଟିରେ କେବଳ ଭିଭିଆଇପି ଗେଷ୍ଟମାନେ ସାମିଲ ହେବେ । ସେମାନଙ୍କ ସୁରକ୍ଷା ପାଇଁ କଡା ବ୍ୟବସ୍ଥା କରାଯାଇଛି । ଏହି ଘରେ ୩ଟି ହେଲିପ୍ୟାଡ ଏବଂ ଏକ ସ୍ପେସିଆଲ ଥିଏଟର ରହିଛି । ଏହାର ୬ ମହଲାରେ ପାର୍କିଂ ବ୍ୟବସ୍ଥା ରହିଛି ଯେଉଁଠି ଏକାସାଥୀରେ ୧୬୦ଟି କାର ପାର୍କିଂ ହୋଇପାରିବ । ଏହାବ୍ୟତୀତ ପାରିବାରିକ ସୁବିଧା ପାଇଁ ସ୍ପା ସେଣ୍ଟର, ମନ୍ଦିର, ଷ୍ଟୁଡିଓ,ସୁଇମିଙ୍ଗ ପୁଲ୍, ଏବଂ ଆଇସ୍କ୍ରିମ୍ ରୁମ୍ ମଧ୍ୟ ରହିଛି ।
ମୁମ୍ବାଇ ସ୍ଥିତ ୨୭ ମହଲାର ଏହି ‘ଆଣ୍ଟିଲ୍ଲିଆ’କୁ ୨୦୧୦ ରେ ପାଖାପାଖି ୧୨୯୧୨ କୋଟି ଟଙ୍କାରେ ନିର୍ମାଣ କରାଯାଇଥିଲା । ଏହାର ରକ୍ଷଣାବେକ୍ଷଣ ପାଖାପାଖି ୬୦୦ କର୍ମୀ କରୁଛନ୍ତି ।