ମୁମ୍ବାଇ (ଏଟିଆର ବ୍ୟୁରୋ): ମୁମ୍ବାଇଠାରେ ଲାକ୍ମି ଫ୍ୟାଶନ ୱିକ୍ ୨୦୧୯ ଜାରି ରହିଛି । ଏହି ସୋ’ରେ ଅନେକ ଜଣା ଶୁଣା ମଡେଲର ମାନଙ୍କ ସମେତ ସେଲିବ୍ରିଟିମାନେ ମଧ୍ୟ ର୍ୟାମ୍ପରେ ର୍ୟାମ୍ପୱାର୍କ କରୁଥିବାରୁ ଦେଖିବାକୁ ମିଳିଛି । ଇତି ମଧ୍ୟରେ ଏହି ସୋ’ ରେ ଏକାକୀ ଜଣେ ଓଡିଆ ଝିଅ ଭାଗନେଇ ନିଜର ଜଲୱା ଦେଖାଇଛନ୍ତି । ଆଜ୍ଞା ହଁ ଗତ ଜାନୁଆରୀ ୨୯ ତାରିଖରେ ଲାକ୍ମି ଫ୍ୟାଶନ ୱିକ୍ ର ସନ୍ଧ୍ୟାରେ ଓଡିଆ ଝିଅ ଭାରତୀ ସାଇକୃପା ର୍ୟାମ୍ପୱାକ୍ କରିଥିଲେ । ସେ ଉଜ୍ଜ୍ୱଲା ଭାଡୁଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଡିଜାଇନର ଡ୍ରେସ ପିନ୍ଧି ର୍ୟାମ୍ପୱାକ୍ କରିଥିଲେ । ଏତେ ବଡ ଫ୍ୟାଶନ ସୋ’ରେ ଜଣେ ଓଡିଆ ଝିଅ ଭାଗ ନେବା ତାହା ଓଡିଶା ପାଇଁ ବଡ ଗୌରବର କଥା ।
ଛୋଟ ବେଳୁ ଫ୍ୟାଶନ ପ୍ରତି ରୁଚି ରଖିଥିବା ଭାରତୀ ସାଇକୃପା ଅନେକ ଫ୍ୟାଶନ ସୋ’ରେ ଭାଗ ନେଇ ଟାଇଟଲ ମଧ୍ୟ ହାତେଇଛନ୍ତି । ତାଙ୍କର ଅଦ୍ୟମ ଇଚ୍ଛା ଶକ୍ତି ପାଇଁ ଆଜି ସେ ଏକ ସଫଳ ମଡେଲ ମଧ୍ୟ ହୋଇପାରିଛନ୍ତି । ଏହାସହିତ ସେ ‘ଓଡିଶାଜ୍ ଟପ୍ ମଡେଲ’, ‘ମିସ୍ କଳିଙ୍ଗ’, ‘ଗ୍ଲୋରୀ ଫେଷ୍ଟ’ ଆଦି ଏଭଳି ଅନେକ ସୋ’ରେ ଅଂଶ ଗ୍ରହଣ କରି ସୁନାମ ଅର୍ଜନ କରିଛନ୍ତି ।
ଏହାବ୍ୟତିତ ସାଇକୃପା ଅନେକ ନାମୀ ଦାମୀ ଡିଜାଇନରଙ୍କ ପାଇଁ କ୍ୟାଟଲଗ୍ ସୁଟ୍ ମଧ୍ୟ କରିଛନ୍ତି । ଏବେ ସେ ଜାତୀୟ ଏବଂ ଅର୍ନ୍ତଜାତୀୟ ସ୍ତରରେ ଥିବା ଫଟୋଗ୍ରାଫରଙ୍କ ପାଇଁ କାମ କରୁଛନ୍ତି ।
କେନ୍ଦୁଝରରେ ଭାରତୀ ସାଇକୃପାଙ୍କ ଜନ୍ମ । ସେ ଏବେ ଭୁବନେଶ୍ୱର ସ୍ଥିତ ମହର୍ଷି କଲେଜର ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ । ସେ ଫେମିନା ମିସ୍ ଇଣ୍ଡିଆର ଫଟୋଗ୍ରାଫର ରାକେଶ ସିଦାନାଙ୍କ ସହ ମଧ୍ୟ ଫଟୋ ସୁଟ୍ କରିସାରିଛନ୍ତି । ଏହାସହିତ ସାଇକୃପା ଖୁବ୍ ଶୀଘ୍ର ଟାଟା ସ୍କାଏ ପାଇଁ ଡିଜାଇନର ପାୟଲ ସିଘଂଲଙ୍କ ସହିତ କାମ କରିବାକୁ ଯାଉଛନ୍ତି ।