ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କରୋନା ସାରା ବିଶ୍ୱକୁ ବେକାବୁ କରି ସାରିଲାଣି । ସାରା ବିଶ୍ୱରେ ଏବେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଛୁଇଁବାକୁ ବସିଲାଣି । ତଥାପି ଥୟ ହେଉନି କରୋନା ହୁହୁ ହୋଇ ବଢି ଚାଲିଛି । ଏବେ ସାରା ବିଶ୍ୱେରେ କରୋନରେ ୯୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି । ଯାହା ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲିଟିଛି । ସୂଚନା ଅନୁସାରେ କେବଳ ଆମେରିକାରେ ୧୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଇଟାଲିରେ ମୃତ୍ୟୁ ସଂଖ୍ୟା ୧୭ ହଜାର ଟପି ଯାଇଛି ।
ସେହିଭଳି ସ୍ପେନରେ ମଧ୍ୟ ମୃତ୍ୟୁ ସଂଖ୍ୟା ୧୫ ହଜାରରୁ ଅଧିକ ରହିଛି । ସେହିଭଳି ବ୍ରିଟେନରେ ୭ ହଜାରରୁ ଅଧିକ ଲୋକ ଏହି ମହାମାରୀରେ ମୃତ୍ୟୁ ବରଣ କରି ସାରିଲେଣି । ଇରାନରେ ୪ ହଜାର ମୁଣ୍ଡ ନେଲାଣି କରୋନା । ସେହିଭଳି ଏହି ସମୟରେ ଯଦି ଆମେ ଭାରତର ସ୍ଥିତି ଦେଖିବା ଭାରତରେ ଏବେ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୩୪ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୬୬ । ଗୁରୁବାର ଗୋଟିଏ ଦିନରେ ସାରା ଦେଶରେ ୭୮୧ ଜଣ ଚିହ୍ନଟ ହୋଇଥିବା ନେଇ ସୂଚନା ରହିଛି ।
ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ଗୁରୁବାର ସର୍ବାଧିକ ୨୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ସ୍ଥିତି ଏକ ପ୍ରକାର ଅଣଆୟତ୍ତ ହୋଇ ପଡିଛି । ସେହିଭଳି ଆମେ ଯଦି ରାଜ୍ୟ କଥା ଦେଖିବା ଆଜି ସକାଳ ସୁଦ୍ଧା ରାଜ୍ୟରେ କେରୋନା ସଂକ୍ରମିତଙ୍କ ସଂଖ୍ୟା ୪୮ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗତକାଲି ଗୋଟିଏ ଦିନରେ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ରେ ପହଞ୍ଚିଛି ।