ଜଗତସିଂହପୁର ( ଏଟିଆର ବ୍ୟୁରୋ): ସାରା ଦେଶରେ ଲକ ଡାଉନ ଜାରି ରହିଛି । ଯାହାଫଳରେ ଲୋକମାନେ ଘରେ ବନ୍ଦୀ ହୋଇ ରହିଛନ୍ତି । ତେବେ ଏହି ଭିତରେ ଏବେ ସମସ୍ତ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖା ଦେଇଛି । ଚିକିତ୍ସିତ ହେବାକୁ ଆସୁଥିବା ରୋଗୀ ମଧ୍ୟ ରକ୍ତ ଅଭାବରୁ ବହୁ ଅସୁବିଧାରେ ପଡୁଛନ୍ତି । ଅନ୍ୟପଟେ ଜଗତସିଂହପୁର ଜିଲ୍ଲା ରକ୍ତ ଭଣ୍ଡାରରେ ମଧ୍ୟ ରକ୍ତର ଅଭାବ ଦେଖା ଦେଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱନ କ୍ରମେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସପ୍ତାହେ ବ୍ୟାପି “ ଜୀବନ ବିନ୍ଦୁ’’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
ଆଜି ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଏହାକୁ ଉଦଘାଟନ କରିଛନ୍ତି । ଆଜି ଅର୍ଥାତ ୧୪ ଅପ୍ରେଲରୁ ୨୦ ଅପ୍ରେଲ ( ସୋମବାର )ପର୍ଯ୍ୟନ୍ତ ଚାଲୁ ରହିବ । ଆଜି ପ୍ରଥମ ଦିନରେ ୨୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି । ଆଜିର କାର୍ଯ୍ୟକ୍ରମକୁ ବିଜେଡି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର ( ବୁଲୁ ଭାଇନା) ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତ କୁମାର ଲେଙ୍କା, ରାଜେଶ ମହାପାତ୍ର, ଓମ ଶ୍ରୀ ସତ୍ୟପ୍ରକାଶ, ସୂରୂପ ମହାନ୍ତି ପ୍ରମୁଖ ରକ୍ତ ଦାନ କରିବା ସହିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।