ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବିଶ୍ୱରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ମହାମାରୀ । ଏହି ମହାମାରୀ କବଳରେ ବର୍ତ୍ତମାନ ଅନେକ ଦେଶରେ ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି । ଏହା ଭିତରେ ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍ସନ (ସିଡିସି) ପକ୍ଷରୁ କୁହାଯାଇଛି ଯେ କରୋନା ଭୁତାଣୁ ବାୟୁମଣ୍ଡଳରେ କିଛି ଘଣ୍ଟା ଧରି ରହିପାରେ ଓ ଅନ୍ୟମାନଙ୍କୁ ସଂକ୍ରମିତ କରିପାରେ । ଏହା ଫଳରେ ସାରା ବିଶ୍ୱରେ କରୋନାକୁ ନେଇ ଚିନ୍ତା ଆହୁରି ବଢିଯାଇଛି ।କରୋନା ମହାମାରୀ ବାୟୁ ଦ୍ୱାରା ବ୍ୟାପିଲେ ତାହା ଅଧିକରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବାର ଆଶଙ୍କା ରହିଛି । ଏହାକୁ ନେଇ ଅନେକ ଡର ମଧ୍ୟ ରହିଛି କାରଣ ଏହା ବାୟୁ ଦ୍ୱାରା ସବୁଆଡେ ବ୍ୟାପୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଟକଳ ଅନୁସାରେ ସାରା ବିଶ୍ୱର ମୋଟ ଜନସଂଖ୍ୟାର ପ୍ରାୟ ୧୦ ପ୍ରତିଶତ ଆକ୍ରାନ୍ତ ହୋଇସାରିଲେଣି ।ଅନ୍ୟ ଏକ ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ମଙ୍ଗଳବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୫୬ ଲକ୍ଷ ଓ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ୪୫ ହଜାର ଟପିଯାଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୬.୭୯ ଲକ୍ଷ ଟପିଯାଇଛି, ଏହା ସହିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ଟପିଯାଇଛି । ଆମେରିକା ପରେ ଭାରତ ଓ ବ୍ରାଜିଲ ରହିଛନ୍ତି । ତେବେ ମୃତ୍ୟୁସଂଖ୍ୟା ଦୃଷ୍ଟିରୁ ଆମେରିକା ପ୍ରଥମ ସ୍ଥାନରେ, ବ୍ରାଜିଲ ୨ୟ ସ୍ଥାନରେ ଓ ଭାରତ ୩ୟ ସ୍ଥାନରେ ରହିଛି । ଏହାକୁ ନେଇ ବିଶ୍ୱ ସଂସ୍ଥା ସଂଗଠନ ମଧ୍ୟ ପୂର୍ବରୁ କହି ସାରିଥିଲା ଯେ କରୋନା ମହାମାରୀ ବାୟୁ ଦ୍ୱାରା ବେସି ବ୍ୟାପୁଛି । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ ।