ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଚିନ୍ତା ବଢାଉଛି କରୋନା ମୃତ୍ୟୁ ସଂଖ୍ୟା । ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଜୀବନ ପରେ ଜୀବନ ନେଇ ଚାଲିଛି କିଲର ଭାଇରସ । ଦୈନିକ ମୃତ୍ୟୁସଂଖ୍ୟା ୬୦ ଉପରେ ରହିଛି । ସେହିଅନୁଯାୟୀ ଗୋଟେଦିନରେ ରାଜ୍ୟରୁ କରୋନାରେ ପୁଣି ୬୯ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାପରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୭୦୩ ରେ ପହଁଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ୧୪ ଜଣ , ଖୋର୍ଦ୍ଧା ଜିଲ୍ଲାରୁ ୮ ଜଣ , ଅନୁଗୁଳ ଓ କଟକରୁ ୬ ଜଣ ଲେଖାଏଁ ରହିଥିବା ବେଳେ ପୁରୀ ଓ କେନ୍ଦୁଝର ଜିଲ୍ଲାରୁ ୫ ଜଣ ଲେଖାଏଁ , ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାରୁ ୪ଜଣ ଲେଖାଏଁ ରହିଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରୁ ୨ ଜଣ ରହିଥିବା ବେଳେ ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।