ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି ଆବର୍ଜନ ମୁକ୍ତ ହେବ ଗଙ୍ଗାନଦୀକୂଳ । ଆତ୍ମ ନିର୍ଭର ଭାରତ ଯୋଜନା ଅନୁସାରେ ବହୁତ ଶୀଘ୍ର ଗଙ୍ଗାନଦୀ କୂଳରେ ଔଷଧୀୟ ବୃକ୍ଷରୋପଣ କରାଯିବ । ଜୁଲାଇ ମାସ ତୃତୀୟ ସପ୍ତାହରେ ଚାରି ହଜାର କୋଟି ଟଙ୍କା ସହାୟତାରେ ହର୍ବାଲ କରିଡୋର ପାଇଁ ବୃକ୍ଷରୋପଣ ଯୋଜନା ଆରମ୍ଭ ହେବ । ଏଥିରେ ୭ ହଜାର ପ୍ରଜାତିର ଔଷଧୀୟ ଗଛ ଲଗାଯିବ ।
ଗଙ୍ଗାନଦୀ କୁଳକୁ ଆର୍ଥିକ ସମୃଦ୍ଧି ସହ ଯୋଡିବା ପାଇଁ ପ୍ରସ୍ତୁତ ହୋଇଥିବା ଏହି ଯୋଜନାରେ କୃଷି ବିକାଶ ମନ୍ତ୍ରାଳୟ, ଜଳ ଶକ୍ତି ମନ୍ତ୍ରାଳୟ ଏବଂ ନେସନାଲ ମେଡିସନାଲ ପ୍ଲାଣ୍ଟ ବୋର୍ଡର ସହଯୋଗରେ ଗଙ୍ଗାନଦୀ କୂଳକୁ ପର୍ଯ୍ୟାବରଣ ବିବିଧତା, ଲୋକଙ୍କ ମଧ୍ୟରେ ସଚେତନତା ଏବଂ କୃଷି କ୍ଷେତ୍ରରେ ଆଧୁନିକତା ସହିତ ଜୈବିକ କୃଷି ଓ ହର୍ବାଲ କରିଡର କୁ ବିକସିତ କରାଯିବ । ସେହିଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୫ଟି ରାଜ୍ୟର ୨୭ଟି ଜିଲ୍ଲାରେ ୮୦୦ ଏକର ଜମିରେ ଔଷଧୀୟ ଗଛ ଲଗାଯିବ ।
ଏହାକୁ ଦୁଇ ବର୍ଷ ମଧ୍ୟରେ ବଢାଇ ୧୦ ଲକ୍ଷ ହେକ୍ଟର ଜମି କଭର କରିବାର ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସମୟରେ ଦେଶରେ ଔଷଧୀୟ ଜଡି-ବୁଟି ର ଘରୋଇ ଚାହିଦା ବର୍ଷକୁ ୨,୦୦,୦୦୦ ମିଟ୍ରିକ ଟନ୍ ରୁ ଅଧିକ ହେବାର ଅନୁମାନ କରାଯାଉଛି । ଏହାଦ୍ୱାରା କୃଷକଙ୍କୁ ପ୍ରତ୍ୟେକ ବର୍ଷ ୫ ହଜାର କୋଟି ଟଙ୍କାର ଆୟ ହେବାର ଅନୁମାନ କରାଯାଉଛି ।