ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ଦେଶରେ ଚାଲିଛି ଟୀକାକରଣ । ଲୋକଙ୍କୁ ଅଧିକାଂଶ କୋଭିସିଲ୍ଡ ଟୀକାର ଡୋଜ ଦିଆଯାଉଛି । ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି । ଖାସ୍ କରି କୋଭିସିଲ୍ଡ ନେଇଥିବା ବ୍ୟକ୍ତି ତଥା ଯେଉଁମାନେ ବିଦେଶ ଯିବା ପାଇଁ ଯୋଜନା କରିଛନ୍ତି ସେମାନଙ୍କର ଚିନ୍ତା ବଢିଯାଇଛି । ବାସ୍ତବରେ ଏପର୍ଯ୍ୟନ୍ତ ଅନେକ ଦେଶରେ କୋଭିସିଲ୍ଡ ଟୀକାକୁ ମାନ୍ୟତା ଦିଆଯାଇନାହିଁ । ସେହିପରି ଯେଉଁମାନେ କୋଭିସିଲ୍ଡ ଟୀକା ନେଇଛନ୍ତି ସେମାନଙ୍କୁ ୟୁରୋପୀୟ ସଂଘ ଦେଶକୁ ଯିବା ପାଇଁ ଅନୁମତି ନାହିଁ । ଯାହାଫଳରେ ୟୁରୋପ ଯିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଝଟକା ଲାଗିଛି । ସେରମ ଇଂଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟୀକା ନେଇଥିବା ବ୍ୟକ୍ତିଙ୍କୁ ୟୁରୋପୀୟ ସଂଘ ଭ୍ୟାକ୍ସିନ ପାସପୋର୍ଟ ଦେବାକୁ ମନା କରିଦେଇଛି ।
ଅନ୍ୟପଟେ ଜୁଲାଇ ପହିଲାରୁ ୟୁରୋପୀୟ ସଂଘ ନାଗରିକଙ୍କ ଯାତାୟତ ପାଇଁ ଏକ ଡିଜିଟାଲ କୋଭିଡ ସାର୍ଟିଫିକେଟ ଯୋଜନା ପ୍ରସ୍ତୁତ କରିଛି । ଯେଉଁମାନେ ଦେଶ ଭିତରକୁ ପ୍ରବେଶ କରିବେ ସେମାନେ ଟିକା ନେଇଥିବା ଜରୁରୀ ନଚେତ କୋଭିଡ ନେଗେଟିଭ୍ ସାର୍ଟିଫିକେଟ ହାସଲ କରିଥିବା ଜରୁରୀ । ୟୁରୋପୀୟ ସଂଘର ଏଭଳି ନିୟମ ପରେ ଯେଉଁ ଭାରତୀୟମାନେ କୋଭିସିଲ୍ଡ ଟିକା ନେଇଥିବେ ସେମାନଙ୍କୁ ୟୁରୋପରେ ପ୍ରବେଶ ଅନୁମତି ମିଳିବ ନାହିଁ ।