ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯୋଗ ଗୁରୁ ବାବା ରାମଦେବଙ୍କର ପତଞ୍ଜଳୀ ଆୟୁର୍ବେଦିକ ଲିମିଟେଡକୁ ମାଡ୍ରାସ ହାଇକୋର୍ଟ ପକ୍ଷରୁ ଝଟକା ଲାଗିଛି । କୋଭିଡ୧୯ର ଚିକିତ୍ସା ରୂପେ ଲଞ୍ଚ ହୋଇଥିବା କୋରୋନିଲ ଔଷଧ ର ଟ୍ରେଡମାର୍କ ଉପରେ କୋର୍ଟ ରୋକ ଲଗାଇଛି । ମାଡ୍ରାସ ହାଇକୋର୍ଟର ଜଷ୍ଟିସ ସି ବି କାର୍ତ୍ତିକେୟନ ଚେନ୍ନାଇର କମ୍ପାନୀ ଅରୁଦ୍ର ଇଂଜିନିୟରିଂ ଲିମିଟେଡର ଆପ୍ଲିକେସନ ଉପରେ ଜୁଲାଇ ୩୦ ପର୍ଯ୍ୟନ୍ତ ଏହି ଅନ୍ତରିମ ଆଦେଶ ଜାରି କରିଛନ୍ତି ।
ଅରୁଦ୍ର ଇଂଜିନିୟରିଂ ଲିମିଟେଡର କହିବାନୁଯାୟୀ, କୋରୋନିଲ ର ୧୯୯୩ ରୁ ଟ୍ରେଡମାର୍କ ରହିଛି । ୧୯୯୩ ମସିହାରେ କୋରୋନିଲ-୨୧୩ ଏସପିଏଲ ଏବଂ କୋରୋନିଲ-୯୨ବି ର ପଞ୍ଜିକରଣ କରାଯାଇଥିଲା । ସେବେଠାରୁ ଏହାର ନବୀକରଣ କରାଯାଉଛି । ଏହି ଟ୍ରେଡମାର୍କ ଉପରେ ୨୦୨୭ ପର୍ଯ୍ୟନ୍ତ ବୈଧତା ରହିଛି ।
ସୂଚନାଯୋଗ୍ୟ , ପତଞ୍ଜଳୀ ଦ୍ୱାରା କୋରୋନିଲ ଲଞ୍ଚ କରାଯିବା ପରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଜୁଲାଇ ୧ ରେ କୁହାଯାଇଥିଲା କି, ଏହି ଔଷଧ କୋଭିଡ ଚିକିତ୍ସା ପାଇଁ ନୁହେଁ ବରଂ କମ୍ପାନୀ ପ୍ରତିରୋଧକ ବର୍ଦ୍ଧକ ରୂପେ ଏହି ଔଷଧ ବିକ୍ରି କରି ପାରିବ ।