ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦୁନିଆରେ ଏବେ ମଙ୍କିପକ୍ସର ଭୟ । ଏହି ସଂକ୍ରମଣ ଧୀରେ ଧୀରେ ଚାରିଆଡକୁ କାୟା ମେଲାଉଛି । ଭାରତରେ ଏବେ ଯାଏଁ ଏହି ସଂକ୍ରମଣର ମାମଲା ବୃଦ୍ଧି ହୋଇ ୮ ରେ ପହଁଚିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇସାରିଛି । ମଙ୍କିପକ୍ସୁ ନେଇ ସମସ୍ତ ରାଜ୍ୟକୁ ଗାଇଡଲାଇନ ଜାରି କରିସାରିଛନ୍ତି କେନ୍ଦ୍ର ସରକାର । ଏହି ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ରସରକାର ଏକ ଟାସ୍କ ଫୋସ ମଧ୍ୟ ଗଠନ କରିଛନ୍ତି । ନୀତି ଆୟୋଗର ସଦସ୍ୟ ଡା.ଭିକେ ପଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମେତ ଅନେକ ଲୋକ ସାମିଲ ଅଛନ୍ତି । ସେହିପରି ଏବେ ଦେଶରେ ମଙ୍କିପକ୍ସ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ଗାଇଡଲାଇନ ଜାରି କରିଛି । ମଙ୍କିପକ୍ସରୁ ରକ୍ଷା ପାଇବା ପାଇଁ କଣ କରିବା ଉଚିତ୍ ଏବଂ ଅନୁଚିତ୍ ତାହା ଗାଇଡଲାଇନ୍ କୁହାଯାଇଛି ।
ଗାଇଡଲାଇନ୍ ମୁତାବକ,ସଂକ୍ରମିତ ରୋଗୀଙ୍କଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛି ମନ୍ତ୍ରାଳୟ । ଯଦି କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ଆଖପାଖରେ ଅଛନ୍ତି ତେବେ ମାସ୍କ ପିନ୍ଧନ୍ତୁ ଏବଂ ଗ୍ଲୋବ୍ସ ବ୍ୟବହାର କରନ୍ତୁ । ସାବନ୍ ରେ ହାତ ଧୁଅନ୍ତୁ ଏବଂ ସାନିଟାଇଜର ବ୍ୟବହାର କରନ୍ତୁ । ମଙ୍କିପକ୍ସ ସଂକ୍ରମିତ ରୋଗୀଙ୍କ ସହ ଯୌନ ସମ୍ପନ୍ଧ ରଖନ୍ତୁ ନାହିଁ ।
ଯେଉଁମାନେ ମଙ୍କିପକ୍ସ ରୋଗୀଙ୍କ ସଂଶ୍ପର୍ଷରେ ଆସିଛନ୍ତି ସେମାନଙ୍କ ସହ ନିଜର ଟାଉଲ ସେୟାର କରନ୍ତୁ ନାହିଁ । ନିଜ କପଡା ସଂକ୍ରମିତ ବ୍ୟକ୍ତିଙ୍କ କପଡା ସହ ମିଶେଇ ଧୁଅନ୍ତୁ ନାହିଁ । ଯଦି ଆପଣଙ୍କ ଲକ୍ଷଣ ରହିଛି ତେବେ କୌଣସି ସାର୍ବଜନିକ ସ୍ଥାନ ବା ମିଟିଙ୍ଗକୁ ଯାଆନ୍ତୁ ନାହିଁ । ନିଜ ଖାଦ୍ୟ ସଂକ୍ରମିତଙ୍କ ସହ ସେୟାର କରନ୍ତୁ ନାହିଁ ।