ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦୁନିଆରେ ଟ୍ରାଏଲ ଷ୍ଟେଜରେ ରହିଛି ଟୀକା । ଏହାରି ମଧ୍ୟରେ ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନର ଏକ ପ୍ୟାନେଲ ପକ୍ଷରୁ ମୋଡେର୍ଣ୍ଣାର କରୋନା ଟୀକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଯାଇଛି । ଏହା ଆମେରିକାରେ ସାମୁହିକ ଟୀକାକରଣ ପାଇଁ ଫାଇଜର ପରେ ଦ୍ୱିତୀୟ ଟୀକା ହେବ । ଗୋଟେ ସପ୍ତାହ ପୂର୍ବରୁ ଏହି ପ୍ୟାନେଲ ଫାଇଜର ଟୀକାର ବ୍ୟବହାର ପାଇଁ ଗ୍ରୀନ ସିଗନାଲ ଦେଇଥିଲେ । ସେହିଅନୁଯାୟୀ ଡିସେମ୍ବର ୧୪ରୁ ଆମେରିକାରେ ଫାଇଜର ଟୀକାର ଟୀକାକରଣ କାମ ଆରମ୍ଭ ହୋଇଛି ।
ମିଡିଆ ରିପୋର୍ଟ ମୁତାବକ, ପ୍ୟାନେଲ ପକ୍ଷରୁ କୁହାଯାଇଛି କି,ଏହି ଟୀକା ୧୮ ବର୍ଷ ଏବଂ ତାଠାରୁ ଅଧିକ ବୟସର ଲୋକଙ୍କଠାରେ କରୋନା କମ କରିବାରେ ସହାୟକ ହେବ ।
ମୋଡେର୍ଣ୍ଣାର କରୋନା ଟୀକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବା ଦ୍ୱାରା କରୋନାକୁ ମାତ୍ ଦେବା ପାଇଁ ଆଉ ଏକ ବିକଳ୍ପ ମିଳିଯାଇଛି । ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ କିଛି ଦିନ ପୂର୍ବେ ମୋଡେର୍ଣ୍ଣା ଟୀକାର ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ ଦେବାର ସଂକେତ ଦେଇଥିଲେ ।