ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ଟୀକା ଏକମାତ୍ର ଅସ୍ତ୍ର ହୋଇଥିବା ବେଳେ ଏବେ ପୁଣି ରାଜ୍ୟରେ ଦେଖାଦେଇଛି ଟୀକା ଅଭାବ । ରାଜ୍ୟରେ ଟୀକା ଅଭାବ ହେବା ହେତୁ ଆଜି ରାଜ୍ୟରେ ୪ ଜିଲ୍ଲାରେ ଟୀକାକରଣ ବନ୍ଦ । ଟୀକାକରଣ ବନ୍ଦ ଥିବା ସେହି ୪ ଟି ଜିଲ୍ଲା ହେଉଛି ବଲାଙ୍ଗୀର, ବାଲେଶ୍ୱର, ଢେଙ୍କାନାଳ ଏବଂ ସୋନପୁର ।
ବୁଧବାର ରାଜ୍ୟରେ ମୋଟ ୧୦୧୫ ଟି କେନ୍ଦ୍ରରେ ଟୀକାକରଣ ହୋଇଥିଲା । ଏଥିରେ ୨ ଲକ୍ଷ ୬ ହଜାର ୬୧୯ ଜଣଙ୍କୁ ଟୀକା ଦିଆ ଯାଇଛି । ୧୮-୪୪ ବର୍ଷ ବୟସର ବ୍ୟକ୍ତିଙ୍କ ମଧ୍ୟରୁ ୯୮ ହଜାର ୬୮୭ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୨୩୦୬ ଜଣ ଦ୍ୱିତୀୟ ଡୋଜ ନେଇଛନ୍ତି । ସେହିପରି ୪୫ ରୁ ଅଧିକ ବୟସ୍କଙ୍କ ମଧ୍ୟରୁ ୨୩୦୨ ଜଣ ପ୍ରଥମ ଡୋଜ ଏବଂ ୮୨ ହଜାର ୮୪ ଜଣ ଦ୍ୱିତୀୟ ଡୋଜ ନେଇଛନ୍ତି ।