ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଭୁବନେଶ୍ୱରରୁ ବ୍ୟାଙ୍କକକୁ ପୁଣି ଆରମ୍ଭ ହେବ ବିମାନ ଯାତ୍ରା । ଏୟାର ଏସିଆ ତରଫରୁ ଏହି ବିମାନ ସେବା ଆରମ୍ଭ କରାଯିବ । ଭୁବନେଶ୍ୱର ବିମାନ ବନ୍ଦରରୁ ସିଧା ବ୍ୟାଙ୍କକକୁ ଉଡାଣ ଭରିବ ଏୟାର ଏସିଆର ଏୟାରକ୍ରାଫ୍ଟ – ୩୨୦ । ତେବେ ଏନେଇ ଅନୁମତି ମିଳିସାରିଛି । ଚଳିତ ସପ୍ତାହରୁ ବୁକିଂ ଆରମ୍ଭ ହେବା ନେଇ ସୂଚନା ମିଳିଛି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ବ୍ୟାଙ୍କକର ଡନ ମୁଏଙ୍ଗ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଏହି ଯାତ୍ରା କରାଯିବ । ସପ୍ତାହର ସାତଦିନ ଏହି ବିମାନ ବ୍ୟାଙ୍କକ ଅଭିମୁଖେ ଯାତ୍ରା କରିବ ।
ସବୁଠାରୁ ବଡ କଥା ଯେ ଏଥିପାଇଁ ରାଜ୍ୟ ସରକାରଙ୍କ ଠାରୁ ସବସିଡି ନେବନି ଏୟାର ଏସିଆ । ଆସନ୍ତା ଡିସେମ୍ବର ୬ ତାରିଖରୁ ଏହି ବିମାନ ସେବା ଆରମ୍ଭ କରିବାକୁ ଯୋଜନା କରିଛନ୍ତି ଏୟାର ଏସିଆ କତ୍ତୃପକ୍ଷ । ତେବେ ବୁକିଂ ପାଇଁ ଏୟାର ଏସିଆ ଅଧିକ ସମୟ ଦେଇସାରିଛି । ଭୁବନେଶ୍ୱରରୁ ବ୍ୟାଙ୍କକ କୁ ଏୟାର ଏସିଆର ଏୟାରକ୍ରାଫ୍ଟ – ୩୨୦ ଯାତ୍ରା କରିବ ।
ଏହି ବିମାନରେ ୧୮୦ ଟି ସିଟ ରହିବ । ବିମାନଟି ରାତି ୧୧ ଟାରୁ ୧୨ ମଧ୍ୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ବ୍ୟାଙ୍କକ ଅଭିମୁଖେ ଉଡାଣ ଭରିବ । ପାଖାପାଖି ଭୋର ସମୟରେ ବ୍ୟାଙ୍କକରେ ପହଞ୍ଚିବ । ସେହିପରି ବ୍ୟାଙ୍କକରୁ ସଂନ୍ଧ୍ୟା ସମୟରେ ଏହି ବିମାନ ଉଡାଣ ଭରି ରାତି ୧୦ ଟାରୁ ୧୧ ମଧ୍ୟରେ ଭୁବନେଶ୍ୱରରେ ପହଞ୍ଚିବ । ସୁଚନା ଯୋଗ୍ୟ , ପୁର୍ବରୁ ମଧ୍ୟ ବ୍ୟାଙ୍କକକୁ ବିମାନ ଯାତ୍ରା ଆରମ୍ଭ ହୋଇଥିଲା । ଏୟାର ଇଣ୍ଡିଆ ତରଫରୁ ଏହି ସେବା ପ୍ରଦାନ କରାଯାଇଥିଲା । ତେବେ କିଛିଦିନ ତଳେ ଏହି ସେବା ବନ୍ଦ ହୋଇଯାଇଥିଲା ।