ଜାମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ): କାଶ୍ମୀର ପ୍ରସଙ୍ଗକୁ ନେଇ ବିଚଳିତ ପାକିସ୍ତାନ ଏବେ ରାଗରେ ରକ୍ତ ଚାଉଳ ଚୋବାଉଛି । ଆନ୍ତର୍ଜାତୀୟ ସ୍ତରରେ ନିରାଶ ହେବା ପରେ ପାକିସ୍ତାନ ପ୍ରତିଦିନ କିଛି ନାଁ କିଛି ନୂଆ ଡ୍ରାମା ଆରମ୍ଭ କରୁଛି । କେତେବେଳେ ଭାରତ ସହ ସମ୍ପର୍କ ଛିନ୍ନ କରୁଛି ତ ପୁଣି କେତେବେଳ ଯୁଦ୍ଧଃ ଦେହି ଡାକରା ଦେଉଛି । ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଉ ଏକ ନୂଆ ନାଟକ ରଚନା କରିଛନ୍ତି । “କାଶ୍ମୀର ଆୱର’’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି । ସୂଚନା ମୁତାବକ ଆଜି ଅପରାହ୍ନ ୧୨ ଟା ବେଳେ କାଶ୍ମୀରର ସମର୍ଥନ ପାଇଁ ସବୁ ଲୋକ ଆଗକୁ ଆସିବାକୁ ଆୱାନ ଦେଇଛନ୍ତି ।
ପାକିସ୍ତାନ ସେନା ମୁଖ୍ୟ ମେଜର ଗଫୁର ଗତକାଲି ଏହି ଘୋଷଣା କରିଛନ୍ତି । ତେବେ ଏହାକୁ ନେଇ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି କାଶ୍ମୀରବାସୀଙ୍କୁ ଏକଜୁଟ କରିବା ପାଇଁ ପ୍ରତ୍ୟକ ସପ୍ତାହରେ ଏମିତି କିଛି କାର୍ଯ୍ୟକ୍ରମ କରାଯିବ । ତେବେ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରୁଛି ପାକିସ୍ତାନ । “ କାଶ୍ମୀର ଆୱର’” ପାଇଁ ଏକ ସାଇରନ ମାଧ୍ୟମରେ ଆଜି ୧୨ ଟା ବେଳେ ସୂଚନା ଦିଆଯିବ ।
ନମାଜ ପଢିବା ସମୟରେ ଏହି ସାଇରନ ବାଜିବାକୁ ଘୋଷଣା କରିଛନ୍ତି ପାକିସ୍ତାନ ସେନା ଜେନେରାଲ । ତେବେ ସବୁଠାରୁ ବଡ କଥା ହେଉଛି ନିଜ ଦେଶ ଏବେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ପାକିସ୍ତାନ ଭାରତର ଆଭ୍ୟନ୍ତରିଣ ମାମଲାରେ ଅଧିକ ମୁଣ୍ଡ ପୁରାଉଛି । ନିଜ ଦେଶର ଆର୍ଥିକ ଅବସ୍ଥା ସୁଧାରି ପାରୁ ନଥିବା ପ୍ରଧାନମନ୍ତ୍ରୀ କାଶ୍ମୀରକୁ ଫୋକସ କରି ସାଧାଣର ଜନତାଙ୍କୁ ଭୂଆଁ ବୁଲାଉଥିବା ଚର୍ଚ୍ଚା ଜୋର ଧରିଛି ।