ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱବ୍ୟାପି କାୟା ମେଲାଇଛି କରୋନା । ଏହାରି ମଧ୍ୟରେ ବ୍ରିଟେନରେ ଆଜିଠୁ ଆରମ୍ଭ ଟୀକାକରଣ ଅଭିଯାନ । ବ୍ରିଟେନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା (ଏନଏଚଏସ) ପକ୍ଷରୁ ଟୀକାକରଣରେ ୮୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ କୋଭିଡ ଯୋଦ୍ଧାଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ।
ଗତ ସପ୍ତାହରେ ଫାଇଜର/ବାୟୋଏନଟେକ ଦ୍ୱାରା ପ୍ରସ୍ତୁତ ଟୀକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ବ୍ରିଟେନ୍ ଅନୁମତି ଦେଇଥିଲା । ଏହାପରେ ଜରୁରୀକାଳୀନ ଟୀକା ବ୍ୟବହାର ପାଇଁ ଅନୁମତି ଦେଇଥିବା ବ୍ରିଟେନ ପ୍ରଥମ ଦେଶ ହୋଇଯାଇଥିଲା । କରୋନାକୁ ନିୟନ୍ତ୍ରଣ କରିବା ପାଇଁ ହେବାକୁ ଥିବା ଟୀକାକରଣକୁ ନେଇ କୁହାଯାଇଛି କି, ଏହା ଏପର୍ଯ୍ୟନ୍ତ ଇତିହାସରେ ସବୁଠାରୁ ମହତ୍ୱପୂର୍ଣ୍ଣ ଜନ ଟୀକାକରଣ କାର୍ଯ୍ୟକ୍ରମ ହେବ ।
ଇଂଲଣ୍ଡରେ , ଆରମ୍ଭରେ ଟୀକା ସଂଚାଳନ ପାଇଁ ୫୦ ଟି ହସ୍ପିଟାଲରେ ହବ୍ ରୂପେ ବଛାଯାଇଛି । ସ୍କଟଲାଣ୍ଡ, ବେଲ୍ସ, ଉତ୍ତରଆୟରଲାଣ୍ଡ ବି ମଙ୍ଗଳବାରଠୁ ହସ୍ପିଟାଲରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବେ । ଲଣ୍ଡନରେ କ୍ରାୟଡନ ବିଶ୍ୱବିଦ୍ୟାଳୟ ହସ୍ପିଟାଲ ଟୀକା ଡେଲିଭରୀ କରୁଥିବା ବ୍ରିଟେନର ପ୍ରଥମ ହସ୍ପିଟାଲ ହୋଇଯାଇଛି ।
ଟୀକାର ପାଖାପାଖି ୮,୦୦,୦୦୦ ଡୋଜ ଆଗାମୀ ସପ୍ତାହରେ ୟୂକେ ରେ ଉପଲବ୍ଧ ହେବାର ସମ୍ଭାବନା ରହିଛି । ହୁଏତ ସରକାର ଏପର୍ଯ୍ୟନ୍ତ ଚାରି କୋଟି ଟୀକାର ଡୋଜ ଅର୍ଡର ଦେଇଛନ୍ତି ।
ସେପଟେ ବ୍ରିଟେନରେ ଟୀକା ବ୍ୟବହାର ହେବାକୁ ଥିବା ବ୍ୟକ୍ତିଙ୍କ ପାଇଁ କାର୍ଡ ଜାରି କରାଯିବ । ସେହି କାର୍ଡରେ ବ୍ୟକ୍ତିଙ୍କର ନାଁ, ଠିକଣା ଏବଂ ଟୀକାର ବ୍ୟାଚ ନମ୍ବର ଲେଖା ଯିବ ।