ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପ୍ରକୋପରୁ ରକ୍ଷା ପାଇବା ପାଇଁ ଅନେକ ଦେଶରେ ଏହାକୁ ନେଇ ନିୟମ କଡାକଡି କରାଯାଇଛି । ଯେଉଁ ବ୍ୟକ୍ତି ମାସ୍କ ପିନ୍ଧୁ ନାହନ୍ତି ବା ସାମାଜିକ ଦୂରତା ରକ୍ଷା କରୁ ନାହାନ୍ତି ସେମାନଙ୍କ ଠାରୁ ମୋଟା ଅଙ୍କର ଜରିମନା ନିଆଯାଉଛି । ଏହାରି ମଧ୍ୟରେ ଦକ୍ଷୀଣ ଆମେରିକାର ଏକ ଦେଶର ରାଷ୍ଟ୍ରପତି ବି ଏହି କଡା ନିୟମରୁ ବର୍ତ୍ତି ପାରିନାହାନ୍ତି । ବିନା ମାସ୍କରେ ସେଲ୍ଫି ଉଠାଇବା ତାଙ୍କୁ ମହଙ୍ଗା ପଡିଛି । ଯାହାଫଳରେ ସେ ମୋଟା ଅଙ୍କର ଜରିମନା ଭରିଛନ୍ତି ।
ଚିଲିର ରାଷ୍ଟ୍ରପତି ସେବାସ୍ତିଆନ ପିନେରା ନିକଟରେ ବିନା ମାସ୍କରେ ଜଣେ ମହିଳାଙ୍କ ସହ ସେଲ୍ଫି ନେଇଥିଲେ । ଏହି ଫଟୋ ଭାଇରାଲ ହେବା ପରେ ସେ କରୋନା ନିୟମ ଉଲ୍ଲଂଘନ କରିବାର ଦୋଷୀ ସାବସ୍ତ୍ୟ ହୋଇଛନ୍ତି । ଏଥିପାଇଁ ତାଙ୍କୁ କେବଳ କ୍ଷମା ମାଗିବାକୁ ପଡିନାହିଁ ବରଂ ଅଢେଇ ଲକ୍ଷ ଟଙ୍କାର ଜରିମାନା ଭରିବାକୁ ପଡିଛି । ଏନେଇ ଚିଲି ର ସ୍ୱାସ୍ଥ୍ୟ କର୍ମୀ କହିଛନ୍ତି କି, ଜଣେ ମହିଳାଙ୍କ ସହିତ ବିନା ମାସ୍କରେ ସେଲ୍ଫି ନେବା ତଥା କରୋନା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରାଷ୍ଟ୍ରପତିଙ୍କ ଉପରେ ୩୫୦୦ ଡଲାରର ଫାଇନ ଲଗାଯାଇଛି ।
କରୋନା ଭାଇରସକୁ ନେଇ ଚିଲି ରେ ନିୟମ ଖୁବ୍ କଡାକଡି ହୋଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିବା ଏବଂ ସାମାଜିକ ଦୂରତା ଅବଲମ୍ବନ ନକରିବା ଦଣ୍ଡନୀୟ ଅପରାଧ ଅଟେ । ନିୟମ ଉଲ୍ଲଂଘନ କରିବା ଦ୍ୱାରା ଜରିମାନା ଭରିବା ସହିତ ଜେଲ ଦଣ୍ଡାଦେଶ ବି ହୋଇପାରେ ।