ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଅନାଇ ବସିଥିଲା ସେହି ମୂହୁର୍ତ୍ତକୁ କେତେବେଳେ ଚନ୍ଦ୍ରଯାନ -୨ ଅବତରଣ କରିବ ଚନ୍ଦ୍ର ପୃଷ୍ଠରେ । ଆଜି ମହାକାଶ କ୍ଷେତ୍ରରେ ଭାରତ ଏକ ନୂଆ ଇତିହାସ ସୃଷ୍ଟି କରିଥାନ୍ତା । ରୁଷ ଓ ଆମେରିକା ଭଳି ବଡ ବଡ ଦେଶକୁ ପଛରେ ପକାଇଥାନ୍ତା ଭାରତ । ମାତ୍ର ଚନ୍ଦ୍ରଯାନ-୨ ଲ୍ୟାଣ୍ଡର ‘ ବିକ୍ରମ’ ସହିତ ଇସ୍ରୋର ଯୋଗାଯୋଗ ଛିନ୍ନ ହୋଇଛି ।
ଚନ୍ଦ୍ର ପୃଷ୍ଟର ଠିକ୍୨.୧ କିଲୋମିଟର ଉପରେ ରହିଥିବା ବେଳେ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତକାଲି ମଧ୍ୟ ରାତ୍ରିରେ ବିକ୍ରମ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବାର ଥିଲା । ବିକ୍ରମ ଯଦି ସଫଳ ଭାବେ ଚନ୍ଦ୍ରର ଧକ୍ଷିଣ ମେରୁରେ ଅବତରଣ କରିଥାନ୍ତା ତେବେ ଚନ୍ଦ୍ରର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜଣା ପଡିଥାନ୍ତା ।
ପୂର୍ବରୁ କୌଣସି ରାଷ୍ଟ୍ରର ଚନ୍ଦ୍ର ଅଭିଯାନ ଏହି ପାର୍ଶ୍ବକୁ ଛୁଇଁ ପାରିନାହିଁ। ତେଣୁ ଭାରତ ପ୍ରଥମ ଅବତରଣ ଅଭିଯାନରେ ଏକ ବିରଳ ସଫଳତା ହାସଲ କରିବ ବୋଲି ବୈଜ୍ଞାନିକମାନେ ଆଶା କରିଥିଲେ । ସୂଚନାଯୋଗ୍ୟ ବିକ୍ରମ ସହିତ ଯୋଗାଯୋଗ କରିବା ପାଇଁ ଏବେ ବି ଉଦ୍ୟମ ଜାରି ରହିଛି । ପୂର୍ବରୁ ଭାରତ ପକ୍ଷରୁ ଛଡା ଯାଇଥିବା ଚନ୍ଦ୍ରଯାନ ୧ ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଜଳର ସନ୍ଧାନ ମିଳିଥିଲା ।