ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଚୀନ ପରେ ଏବେ ଦକ୍ଷିଣ କୋରିଆରେ କରୋନା ତା କାୟା ବିସ୍ତାର କରିବା ଆରମ୍ଭ କରି ଦେଲାଣି । ପ୍ରତିଦିନ କୋରିଆରେ ଅକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ କରୋନାରେ ଏବେ ଦକ୍ଷିଣ କୋରିଆରେ ୩୧୫୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୭ ରେ ପହଞ୍ଚି ଲାଣି । ଯାହାକୁ ନେଇ ଦକ୍ଷିଣ କୋରିଆରେ ହାଇ ଆଲର୍ଟ ଜାରି କରାଯାଇଛି । ସାଧାରଣ ଲୋକଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଏହାକୁ ନେଇ ଦକ୍ଷିଣ କୋରିଆ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଦେଶ ଏବେ ବଡ ବିପଦ ଦେଇ ଗତି କରୁଛି ।
ତେଣୁ ଲୋକମାନେ ସରକାରଙ୍କୁ ସହଯୋଗ କରିବା ସହିତ ଘରୁ ନବାହାରିବା ସହିତ ଖୁବ କମ ଲୋକଙ୍କ ସହିତ ମିଳାମିଶା କରନ୍ତୁ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଗତକାଲି ଆମେରିକାର ୱାଶିଂଟନରେ ପ୍ରଥମ କରି ଆମେରିକାର ଜଣେ ମହିଳାଙ୍କର ଏହି ଭାଇରସରେ ମୃତ୍ୟୁ ହୋଇଛି । ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଦେଶ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି । ଇରାନ ସମେତ ଦକ୍ଷୀଣ କୋରିଆର କେତେକ ଅଞ୍ଚଳକୁ ନଯିବାକୁ ରାଷ୍ଟ୍ରପତି କଟକଣା ଜାରି କରିଛନ୍ତି । ଗତ ୧୪ ଦିନ ମଧ୍ୟରେ ଯେଉଁ ନାଗରିକ ଇରାନ ଯାତ୍ରା କରିଛନ୍ତି ସେମାନେ ଏବେ ଦେଶ ଭିତରକୁ ପ୍ରବେଶ କରିପାରିବେ ନାହିଁ ।