ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସମଗ୍ର ବିଶ୍ୱକୁ ଆତଙ୍କିତ କରି ରଖିଥିବା କରୋନା ଭାଇରସ ବର୍ତ୍ତମାନ ଭାରତରେ ନିଜ କାୟା ବିସ୍ତାର କରି ସାରିଲାଣି ।
ଭାରତର ରାଜଧାନୀ ଦିଲ୍ଲୀରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏଥି ସହିତ ତେଲେଙ୍ଗାନାରେ ମଧ୍ୟ ଗୋଟିଏ କରୋନା ଆକ୍ରାନ୍ତକୁ ଚିହ୍ନଟ କରାଯାଇଛି ।
ପ୍ରାୟ ୭୦ରୁ ଅଧିକ ଦେଶକୁ ଏହି ଭୟଙ୍କର ଭାଇରସ ବ୍ୟାପି ସାରିଲାଣି । ପୂର୍ବରୁ ଭାରତର କେରଳଠାରେ ଦୁଇଟି କରୋନା ପଜିଟିଭ ରୋଗୀଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା କରାଯାଇଥିଲା । ପରେ ସେମାନଙ୍କୁ ସୁସ୍ଥ କରି ଘରକୁ ଫେରିବାକୁ ଅନୁମତି ଦିଆଯାଇଥିଲା ।
କରୋନା ଠାରୁ ରକ୍ଷା ପାଇବା ପାଇଁ ଅନେକ ସମୟରେ ସରକାର ନୂଆ ନୂଆ ଆଡଭାଇଜରି ଜାରି କରୁଥିଲେ ମଧ୍ୟ କରୋନା ନିଜ କାୟା ମେଲାଇବାରେ ସଫଳ ହୋଇଚାଲୁଛି ।
ଏହି ମାରାତ୍ମକ ଭୂତାଣୁ ଆକ୍ରାନ୍ତରେ ଏପର୍ଯ୍ୟନ୍ତ ୩୦୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଏବଂ ୮୦ ହଜାରରୁ ଅଧିକ ଲୋକଙ୍କୁ ଏହି ଭାଇରସ କାବୁ କରି ସାରିଲାଣି ।