ଭୁବନେଶ୍ୱର (ଏଟିଆର): ଧୀରେ ଧୀରେ ଚାରିଆଡେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ । ଚୀନର ଉହାନରୁ ଆରମ୍ଭ ହୋଇଥିବା ଏହି ଭାଇରସ ଯୋଗୁଁ ବିଶ୍ୱବ୍ୟାପି ୪୬୨୭ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ସେହିପରି ଏହି ସଂକ୍ରମଣରେ ବର୍ତ୍ତମାନ ସୁଧା ଏକ ଲକ୍ଷରୁ ଅଧିକ ଲୋକ ଶିକାର ହୋଇସାରିଲେଣି । ଏହି ଭାଇରସ ପାଇଁ ଏବେ ଚାରିଆଡେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏପରିକି ବଡ ବଡ କାର୍ଯ୍ୟକ୍ରମମାନକୁ ମଧ୍ୟ ବାତିଲ କରାଯାଉଛି । ଇତିମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ସଂକ୍ରମଣକୁ ମହାମାରୀ ରୂପେ ଘୋଷଣା କରାଯାଇଛି ।
ଅନ୍ୟପଟେ ଏହି କରୋନା ଭାଇରସରେ ବର୍ତ୍ତମାନ ସୁଧା ଭାରତରେ ୬୦ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଲେଣି । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କିଛି ସୂଚନା ଜାରି କରାଯାଇଛି ।
ସଂଯୁକ୍ତ ରାଷ୍ଟ୍ର, ଅନ୍ତରାଷ୍ଟ୍ରୀୟ ସଂଗଠନ, ଅଫିସିଆଲ, ନିୟୋଜନ କ୍ଷେତ୍ର ଆଦିକୁ ବାଦ୍ ଦେଇ ଅନ୍ୟ ସମସ୍ତ ଭିଜାକୁ ଅପ୍ରିଲ ୧୫ ଯାଏଁ ନିଲମ୍ବିତ କରାଯାଇଛି । ଏହା ଆସନ୍ତାକାଲି ମଧ୍ୟ ରାତ୍ରିରୁ ଲାଗୁ କରାଯିବ ।
ଭାରତୀୟ ନାଗରିକ ସମେତ ଆସୁଥିବା ଅନ୍ୟ ଯାତ୍ରୀମାନେ ଅନାବଶ୍ୟକ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଉଛି । ଏହାସହିତ ସେମାନଙ୍କୁ ସୂଚିତ କରାଯାଉଛି କି ଭାରତକୁ ଆସିବା ଦ୍ୱାରା ସେମାନଙ୍କୁ ୧୪ ଦିନ ଯାଏଁ ସ୍ୱତନ୍ତ୍ର ଭାବେ ରଖାଯିବ ।
ସେହିପରି କରୋନା ଭାଇରସର ପରୀକ୍ଷଣ ପାଇଁ ଭୁବନେଶ୍ୱରର ଗଜପତି ନଗର ସ୍ଥିତ ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର(ଆରଏମଆରସି) ରେ ଏକ ସ୍ୱତନ୍ତ୍ର ସୁବିଧା ସ୍ଥାପନା କରାଯାଇଛି । ଏଠାରେ କଟକ ଏସସିବି ମେଡିକାଲ କଲେଜରୁ ୨ଟି ନମୁନା ପରୀକ୍ଷଣ କରାଯାଇଛି ଏବଂ ତାହା ନେଗେଟିଭ୍ ବୋଲି ପ୍ରମାଣି ହୋଇଛି ବୋଲି ଆରଏମଆରସି ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
କିଛି ଦିନ ପୂର୍ବରୁ କରୋନା ଭାଇରସ ରେ ପ୍ରଭାବିତ ହୋଇଥିବା ଲୋକଙ୍କ ନମୁନାକୁ ପରୀକ୍ଷଣ ପାଇଁ କୋଲକାତା ଏବଂ ପୁଣେ ପଠାଯାଉଥିଲା । କିନ୍ତୁ ଏହି ସୁବିଧା ଏବେ ଆରଏମଆରସି ରେ ଉପଲବ୍ଧ । ଏଠାରେ ଏକ ଶହରୁ ଅଧିକ ନମୁନା ପରୀକ୍ଷଣ କରିବାର କ୍ଷମତା ରହିଛି ।
ଏହାସହିତ କୋଭିଡ ୧୯ ର ପ୍ରକୋପକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କ ପକ୍ଷରୁ ଶଚେତନା ଅଭିଯାନ ଆରମ୍ଭ କରାଯାଇଛି ।