ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚୀନରେ ବ୍ୟାପୁଥିବା କରୋନା ଏବେ ମହାମାରୀର ରୂପ ନେଇ ସାରିଲାଣି । ପ୍ରତିଦିନ ଏବେ ଚୀନରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଚୀନର ଗଣମାଧ୍ୟମର ସୂଚନା ଅନୁସାରେ ଏବେ କରୋନା ମୃତ୍ୟୁ ସଂଖ୍ୟା ୪୨୫ ଛୁଇଁଲାଣି । ଯାହା ଏବେ ଚୀନରେ ବେକାବୁ ହୋଇ ପଡିଲାଣି । ତେବେ ଏହାକୁ ନେଇ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା କରିଛି ଚୀନରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବ । କେବଳ ଚୀନ ନୁହେଁ ଏହି ଭାଇରସ ଏବେ ୨୫ ଟି ଅନ୍ୟରାଷ୍ଟ୍ରକୁ ଛୁଇଁ ସାରିଲାଣି । ଏପଟେ କେରଳ ଏହି ଭାଇରସକୁ ରାଜ୍ୟ ବିପତ୍ତି ଘୋଷଣା କରି ସାରିଲାଣି । କେରଳରେ ଏବେ ୩ ଜଣ ଏହି ଭୂତାଣୁ ଆକ୍ରାନ୍ତ ହୋଇ ସାରିଲେଣି ।
ଆଗକୁ ଏହା ଅଧିକ ବ୍ୟାପିବାର ଆଶଙ୍କା ଥିବାରୁ କେରଳ ଏହାକୁ ରାଜ୍ୟ ବିପତ୍ତି ବୋଲି ଘୋଷଣା କରିଛି । କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଲୋକଙ୍କୁ ଭୟବୀତ କରିବା ପାଇଁ ଏହି ଘୋଷଣା କରାଯାଇ ନାହିଁ । ବରଂ ଏହି ଘୋଷଣା ହେବା ଦ୍ୱାରା ଲୋକ ସଚେତନ ହେବା ସହିତ ଏହାକୁ ରୋକା ଯାଇପାରିବ । ସୂଚନାଯୋଗ୍ୟ ପୂର୍ବରୁ ୨ ଜଣ ଚୀନ ଫେରନ୍ତାଙ୍କ ଦେହରେ ଏହି ଭୂତାଣୁ ଥିବା ଚିହ୍ନଟ ହୋଇଥିଲା । ଏବେ ଆଉ ଜଷର ବ୍ୟକ୍ତଙ୍କ ଦେହରେ ଏହି ଭୂତାଣୁ ଥିବା ଚିହ୍ନଟ କରାଯାଇଛି । ସୂଚନାଯୋଗ୍ୟ ଭାରତ ପକ୍ଷରୁ ନିର୍ଦେଶ ହୋଇଛି ୧୫ ଜାନୁଆରି ପରେ ଚୀନ ଯାତ୍ରା କରିଛନ୍ତି କିମ୍ବା ଚୀନରୁ ଫେରିଛନ୍ତି ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ପୃଥକ ଭାବେ ରଖାଯାଇପାରେ ।