ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାକିସ୍ତାନରେ ଲୁଚିକି ରହିଛି ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କି ଦାଉଦ ଇବ୍ରାହିମ୍ । ସୁରକ୍ଷାକୁ ନେଇ ଚିନ୍ତିତ ଥିବା ଦାଉଦ ଗତ ତିନି ବର୍ଷ ହେବ କାହାରି ସହିତ ଫୋନ୍ ରେ କଥା ବାର୍ତ୍ତା ହୋଇ ନାହାନ୍ତି ।
ଦିଲ୍ଲୀ ପୋଲିସର ଜଣେ ଅଧିକାରୀଙ୍କ ଅନୁଯାୟୀ, ଦାଉଦ ଏବେ ବି ତାର ସହଯୋଗୀଙ୍କ ସହିତ ପାକିସ୍ତାନରେ ଲୁଚିକି ରହିଛି । ଏନେଇ ପ୍ରମାଣ ମଧ୍ୟ ରହିଛି । ଗତ ନଭେମ୍ବର ମାସ ୨୦୧୬ ମସିହାରେ ତାର ଫୋନ୍ ରେକର୍ଡ କରାଯାଇଥିଲା ।
୨୦୧୬ ମସିହାରେ ଗୁଇନ୍ଦା ଏଜେନ୍ସି ପକ୍ଷରୁ ଦାଉଦ ର ଫୋନ୍ କୁ ୧୫ ମିନିଟ୍ ପର୍ଯ୍ୟନ୍ତ ରେକର୍ଡ କରାଯାଇଥିଲା । ଏଥିରେ ସେ କରାଚୀରୁ ଦୁବାଇରେ ଥିବା ତାର ସହଯୋଗୀଙ୍କ ସହ କଥା ହେଉଥିଲା । ମାତ୍ର ଏହି ବାର୍ତ୍ତାଳାପରେ କେବଳ ବ୍ୟକ୍ତିଗତ ବିଷୟ ରହିଥିଲା । ଅଣ୍ଡରୱାଲ୍ଡ ର ଗତିବିଧି ବା ଯୋଜନା ବିଷୟରେ କୌଣସି ପ୍ରକାରର ଆଲୋଚନା ହୋଇନଥିଲା ।
ଏହାପରେ ଭାରତୀୟ ଗୁଇନ୍ଦା ଏଜେନ୍ସିର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ବୈଠକରେ ଇଂଟେଲିଜେନ୍ସ ବ୍ୟୁରୋ ଏବଂ ରିସର୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ ର ଶୀର୍ଷ ଅଧିକାରୀ ସାମିଲ ଥିଲେ ।
ସେପଟେ ପୋଲିସର କହିବାନୁଯାୟୀ , ଦାଉଦ ହୁଏତ ଫୋନ୍ ଠାରୁ ଦୂରେଇ ରହୁଛି । କିନ୍ତୁ ଏହାର ଅର୍ଥ ନୁହେଁ କି ସେ କରାଚୀରୁ ଅନ୍ୟ କେଉଁ ଆଡକୁ ପଳେଇଛି । ଆମ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି । ସେ ଏବେ ବି ପାକିସ୍ତାନରେ ରହି ଷଡଯନ୍ତ୍ର ରଚୁଛି ।