ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପ୍ରଥମ ଥର ପାଇଁ ବିଶ୍ୱକପ ଜିତିଲା ଇଂଲଣ୍ଡ । ଗତକାଲି ମ୍ୟାଚ୍ ଜିତି ଇଂଲଣ୍ଡ ଷଷ୍ଠ ଦଳ ଭାବେ ବିଶ୍ୱକପ୍ ଚାମ୍ପିୟନ୍ ହୋଇଛି। ନାଟକୀୟ ଉତ୍ଥାନ-ପତନ ଭିତରେ ଫାଇନାଲ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡ ହୋଇଛି ବିଶ୍ବବିଜେତା।ପ୍ରଥମେ ମ୍ୟାଚ୍ ଓ ପରେ ସୁପରଓଭର ଟାଇ ହେବାରୁ ଶେଷରେ ବାଉଣ୍ଡାରୀ ଆଧାରରେ ଟାଇଟେଲ ଜିତିଛି ଦଳ । ପୂର୍ବରୁ ତିନି ଥର ଫାଇନାଲରେ ପହଞ୍ଚି ନିରାଶ ହୋଇଥିଲେ ମଧ୍ୟ ଶେଷରେ କ୍ରିକେଟର ମକ୍କା ଲର୍ଡସ୍ ଷ୍ଟାଡିୟମରେ ଚତୁର୍ଥ ଥରରେ ବାଜି ମାରି ନେଇଛି ଇଂଲଣ୍ଡ ।
ତୀବ୍ର ସଂଘର୍ଷ ସହ ସୁପରଓଭର ଏବଂ ‘ଟାଇ’ ପାଇଁ ବିଶ୍ବକପ୍ ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ନୂତନ ଅଧ୍ୟାୟ । ୨ୟ ଇଂନିଶ ଅଧା ବେଳକୁ ଜଣା ପଡିଥିଲା କି ଏହି ମ୍ୟାଚକୁ ନ୍ୟୁଜଲାଣ୍ଡ ଜିତିବ । ମାତ୍ର ଖେଳ ଏମିତି ନାଟକୀୟ ମୋଡ ନେଲାଯେ ଅନ୍ତିମ ବେଳକୁ ମ୍ୟାଚ ଟାଇ ହେଲା । ଯେଉଁଥି ପାଇଁ ନିଷ୍ପତ୍ତି ହେଲା ଦୁଇଟି ଦଳ ଆଉ ଗୋଟିଏ ଗୋଟିଏ ଓଭର ଖେଳିବେ । ସେଥିରେ ମଧ୍ୟ ଟାଇ ହେଲା ।
ଶେଷରେ ବାଉଣ୍ଡରି ସଟକୁ ଆଧାରକୁ ନେଇ ବିଶ୍ୱ ବିଜୟ ହେଲା ଇଂଲଣ୍ଡ । ପୂର୍ବରୁ ବିଶ୍ୱ କପରେ ଏମିତି ସଂଘର୍ଷ ପୂର୍ଣ୍ଣ ମ୍ୟାଚ କେବେ ଦେଖିବାକୁ ମିଳି ନଥିଲା । ସୂଚନାଯୋଗ୍ୟ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୪୧ ରନ୍ କରିଥିଲା। ସେହିଭଳି ଆୟୋଜକ ଇଂଲଣ୍ଡ୫୦ ଓଭରରେ ମଧ୍ୟ ସମସ୍ତ ୱିକେଟ୍ ହରାଇ ସେହି ୨୪୧ ରନ୍ କରିବା ପରେ ମ୍ୟାଚ ସୁପରଓଭରକୁ ଯାଇଥିଲା। ସୁପରଓଭରରେ ମଧ୍ୟ ଉଭୟ ଦଳ ୧୫ ରନ୍ କରିଥିଲା।
ତେବେ ଅଧିକ ବାଉଣ୍ଡରି ଆଧାରରେ ଇଂଲଣ୍ଡ ବାଜି ମାରି ନେଇଥିଲା । ୧୯୭୫ ରୁ ମୋଟ ୧୧ଥର ବିଶ୍ୱକପ ଆୟୋଜନ ହୋଇଛି। ଏଥିରୁ ଅଷ୍ଟ୍ରେଲିଆ ୫ ଥର ଜିତିଥିବା ବେଳେ ଭାରତ ଓ ଓ୍ୱେଷ୍ଟେଣ୍ଡିଜ୍ ୨ ଥର ,ଶ୍ରୀଲଙ୍କା ଓ ପାକିସ୍ତାନ ଥରେ ଲେଖାଏ ଚାମ୍ପିୟନ୍ ହୋଇଥିଲେ । ଏଥର ପ୍ରଥମ ଥର ପାଇଁ ଇଂଲଣ୍ଡ ବିଶ୍ୱ ବିଜେତା ହୋଇଛି ।