ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କରୋନା ଭାଇରସ ଏବେ ସାରା ବିଶ୍ୱପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଚୀନରୁ ବ୍ୟାପିଥିବା ଏହି ଭାଇରସ ବିଶ୍ୱର ଅନେକ ରାଷ୍ଟ୍ରରେ ତାର ପ୍ରଭାବ ପକାଇବା ଆରମ୍ଭ କରି ଦେଲାଣି । ତେବେ ଗତକାଲି ଆମେରିକାର ୱାଶିଂଟନରେ ପ୍ରଥମ କରି ଆମେରିକାର ଜଣେ ମହିଳାଙ୍କର ଏହି ଭାଇରସରେ ମୃତ୍ୟୁ ହୋଇଛି । ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଦେଶ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି । ଇରାନ ସମେତ ଦକ୍ଷୀଣ କୋରିଆର କେତେକ ଅଞ୍ଚଳକୁ ନଯିବାକୁ ରାଷ୍ଟ୍ରପତି କଟକଣା ଜାରି କରିଛନ୍ତି ।
ସେହିଭଳି ଆଉ ଏକ ନିୟମ ମଧ୍ୟ ଆମେରିକା ଜାରି କରିଛି ଗତ ୧୪ ଦିନ ମଧ୍ୟରେ ଯେଉଁ ନାଗରିକ ଇରାନ ଯାତ୍ରା କରିଛନ୍ତି ସେମାନେ ଏବେ ଦେଶ ଭିତରକୁ ପ୍ରବେଶ କରିପାରିବେ ନାହିଁ । ସୂଚନାଯୋଗ୍ୟ ୱାସିଂଟନରେ କରୋନା ଭାଇରସରେ ମୃତ୍ୟୁ ହୋଇଥିବା ମହିଳାଙ୍କ ବୟସ ୬୦ ବର୍ଷ ବୋଲି ଜଣା ପଡିଛି । ଆମେରିକାରେ ଏଯାବତ ୨୨ ଜଣଙ୍କ ଠାରେ କରୋନା ଭାଇରସ ଥିବା ଜଣା ପଡିଛି । ତେବେ ଏଥିରେ ଭୟବୀତ ନହେବା ପାଇଁ ସେ ଦେଶବାସୀଙ୍କୁ କହିଛନ୍ତି । ସମସ୍ତ ବୁକାବିଲା ପାଇଁ ଦେଶ ପ୍ରସ୍ତୁତ ଥିବା ସେ ସାମ୍ବାଦିକ ସମ୍ମୀଳନିରେ କହିଛନ୍ତି ।