ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୁଗଲ ସମେତ ଏବେ ଆଲ୍ଫାବେଟ କମ୍ପାନୀର ବି ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଦାୟିତ୍ୱ ବହନ କରିବେ ଭାରତର ସୁନ୍ଦର ପିଚାଇ । ତାଙ୍କୁ ଆଲ୍ଫାବେଟର ସିଇଓ ଭାବେ ନିଯୁକ୍ତି ଦିଆଯାଇଛି । ଏହାପୂର୍ବରୁ କମ୍ପାନୀର ଦାୟିତ୍ୱ ଲ୍ୟାରୀ ପେଜ୍ ଏବଂ ସର୍ଗେ ବ୍ରିନ୍ ଙ୍କ ପାଖରେ ଥିଲା । ଏନେଇ ମଙ୍ଗଳବାର ଦିନ ଅଲ୍ଫାବେଟ ପକ୍ଷରୁ କୁହାଯାଇଛି କି କମ୍ପାନୀର ସିଇଓ ଲ୍ୟାରୀ ପେଜ୍ ଏବଂ ଅଧ୍ୟକ୍ଷ ସର୍ଗେ ବ୍ରିନ୍ ତାଙ୍କ ପଦରୁ ଇସ୍ତଫା ନେବାର ନିଷ୍ପତି କରିଛନ୍ତି ।
ସେପଟେ କମ୍ପାନୀର ସହ ସଂସ୍ଥାପକ, ସେୟାର ଧାରକ ଏବଂ ନିର୍ଦ୍ଦେଶ ମଣ୍ଡଳୀର ସଦସ୍ୟ ଭାବେ ପେଜ୍ ଏବଂ ବ୍ରିନ୍ ଯୋଡିି ହୋଇ ରହିବେ । ଏହାସହିତ ସୁନ୍ଦର ପିଚାଇ ଗୁଗଲର ସିଇଓ ଏବଂ ଆଲ୍ଫାବେଟର ନିର୍ଦ୍ଦେଶକ ମଣ୍ଡଳର ସଦସ୍ୟ ରହିବେ ।
ଆଲ୍ଫାବେଟର ନିର୍ଦ୍ଦେଶକ ମଣ୍ଡଳୀର ଚେୟାରମ୍ୟାନ୍ ଜନ୍ ହେନେସୀ ଏକ ବୟାନରେ କହିଛନ୍ତି, ଲ୍ୟାରୀ ପେଜ୍ ଏବଂ ସର୍ଗେ ବ୍ରିନ୍ ଙ୍କ ୨୧ ବର୍ଷର ଯୋଗଦାନ ବିଷୟରେ କହିବା ଅସମ୍ଭବ । ମୁଁ ଦୁହିଁଙ୍କ ପାଇଁ କୃତଜ୍ଞ ଜ୍ଞାପନ କରୁଛି ସେ ବୋର୍ଡରେ ଆଗକୁ ଆହୁରି କାମ କରିବେ ।