ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ସହିତ ଲଢୁଛି ଭାରତ । ପ୍ରତିଦିନ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ ଅକ୍ସିଜେନ୍, ବେଡ୍ ଏବଂ ଔଷଧ ଅଭାବରୁ ବହୁ ସଂଖ୍ୟକ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି । ଏଭଳି ସ୍ଥିତିରେ ସ୍ୱିଡେନର ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ, ମହାମାରୀ ଦ୍ୱାରା ଦୁର୍ବଳ ହୋଇଥିବା ଭାରତକୁ ସାହାଯ୍ୟ କରିବା ପାଇଁ ବୈଷୟିକ ସ୍ତରରେ ଅପିଲ କରିଛନ୍ତି ।
ଥନବର୍ଗ ଏକ ଟ୍ୱିଟରେ ଲେଖିଛନ୍ତି କି, ଭାରତର ଯେଉଁ ସ୍ଥିତି ଉପୁଜିଛି ତାହା ହୃଦୟ ବିଦାରକ । ସମଗ୍ର ବିଶ୍ୱରେ ଥିବା ଦେଶଗୁଡିକ ଆଗକୁ ଯାଇ ମହାମାରୀ ସହ ଲଢୁଥିବା ଭାରତକୁ ସାହାଯ୍ୟ କରିବା ଉଚିତ୍ ।
ଭାରତରେ ପ୍ରତ୍ୟେକ ଦିନ ତିନି ଲକ୍ଷରୁ ଅଧିକ କରୋନା ମାମଲା ସାମ୍ନାକୁ ଆସୁଛି । ଯାହାକୁ ନେଇ ଥନବର୍ଗ ନିଜ ଟ୍ୱିଟ ସହିତ ଭାରତର ସ୍ୱାସ୍ଥ୍ୟ ସଙ୍କଟ ବିଷୟରେ ଏକ ଗଣମାଧ୍ୟମରେ ରିପୋର୍ଟ ସେୟାର କରିଛନ୍ତି ।