ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ମୁମ୍ବାଇ ବ୍ଳାଷ୍ଟର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଫିଜ୍ ସଇଦ୍ କୁ ପାକିସ୍ତାନର ଏକ ଆତଙ୍କବାଦ ବିରୋଧି କୋର୍ଟ ଅଳ୍ପ ଦିନ ତଳେ ୧୧ବର୍ଷ ଜେଲ ଦଣ୍ଡ ଶୁଣାଇଥିଲା । ବ୍ଳାକଲିଷ୍ଟ ହେବା ଭୟରେ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ପାକିସ୍ତାନ, ଆତଙ୍କବାଦୀ ହାଫିଜ୍ ସଇଦ୍ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା ।
ଆଗକୁ ଫାଇନାନ୍ସସିଆର ଆକ୍ସନ ଟାକ୍ସ ଫୋର୍ସ ବା ଏଫଏଟିଏଫ ର ବୈଠକ ଅଛି । ପ୍ୟାରିସରେ ଏହି ବୈଠକ ସରିବା ପରେ ଆତଙ୍କବାଦୀ ହାଫିଜ ସଇଦ୍ କୁ ପୁଣି ଜେଲ ରୁ ମୁକ୍ତ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।
ଜାଣିଶୁଣି ହାଫିଜ୍ ସଇଦ୍ ର ଦଣ୍ଡାଦେଶରେ କିଛି ଗଳାବାଟ ଛଡା ଯାଇଛି ଯାହା ଦ୍ୱାରା ସେ ପୁନଃଶ୍ଚ ମୁକ୍ତ ହୋଇପାରେ । ବିଶେଷଜ୍ଞଙ୍କ ମତରେ କେବଳ ଏଫଏଟିଏଫ ଡରରେ ପାକିସ୍ତାନ ହାଫିଜ୍ ସଇଦ୍ କୁ ସଜା ଶୁଣାଇଛି । ସେପଟେ ହାଫିଜ୍ ସଇଦ୍ ର ଓକିଲ ମଧ୍ୟ ସମାନ ଯୁକ୍ତି କରିଛନ୍ତି । ହାଫିଜ୍ ସଇଦ୍ ବିରୋଧରେ ପାକିସ୍ତାନୀ କୋର୍ଟର ଏହି ଦଣ୍ଡାଦେଶକୁ ତାଙ୍କ ଓକିଲ କୋର୍ଟରେ ଚ୍ୟାଲେଞ୍ଜ କରିବା ସହିତ କେବଳ ଏଫଏଟିଏଫ ଚାପରେ ଆସି ହାଫିଜ୍ ସଇଦ୍ ଙ୍କୁ ସଜା ଶୁଣାଣି ହୋଇଛି ବୋଲି ସେ କହିଛନ୍ତି ।