ଖ୍ରୀଷ୍ଟଚର୍ଚ୍ଚ(ଏଟିଆର ବ୍ୟୁରୋ): ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳା ଯାଉଛି । ଟସ୍ ଜିତି ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା । ତେବେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଳାଇଥିବା ଭାରତୀୟ ଦଳ ୬୩ ଓଭର ଖେଳି ୨୪୨ ରନ୍ କରିଥିବା ବେଳେ ସମସ୍ତ ୱିକେଟ ହରାଇଛି । ପ୍ରଥମ ଟେଷ୍ଟ ମ୍ୟାଚ ପରି ଏହି ମ୍ୟାଚରେ ମଧ୍ୟ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଥିଲା । ଦଳର ଓପନର ମୟଙ୍କ ଅଗ୍ରୱାଲ ୭ ରନ କରି ଆଉଟ ହୋଇଥିଲେ । ଏହା ପରେ ପୃଥ୍ୱୀ ସା ୫୪, ଅଧୀନାୟକ ବିରାଟ କୋହଲି ୩, ଓ ଅଜିଙ୍କ ରାହାଣେ ୭ ରନ କରି ଆଉଟ ହୋଇଥିଲେ । ଭାରତୀୟ ଦଳ ପକ୍ଷରୁ ହନୁମ ବିହାରି ସର୍ବାଧିକ ୫୫ ରନ୍ କରିଛନ୍ତି । ସେହିଭଳି ଚେତେଶ୍ୱର ପୂଜାରା ୫୪ ରନ କରିଛନ୍ତି । ଭାରତୀୟ ଦଳ ପକ୍ଷରୁ ଅନ୍ୟ କୌଣସି ବ୍ୟାଟସମ୍ୟାନ ୧୦ ରନ ବି କରିପାରିନାହାନ୍ତି ।
ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ପକ୍ଷରୁ ଜାମିସ ସର୍ବାଧିକ ୫ ଟି ୱିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଓ ସାଉଦୀ ୨ ଟି ଲେଖାଏଁ ୱିକେଟ ନେଇଛନ୍ତି । ସେହିଭଳି ୱାଗନେ ଗୋଟିଏ ୱିକେଟ ନେଇଛନ୍ତି । ତେବେ ଭାରତୀୟ ଦଳ ପ୍ରଥମ ଟେଷ୍ଟ ମ୍ୟାଚ ହାରିଯାଇଥିବାରୁ ଏହି ମ୍ୟାଚ ଟି ଜିତିବା ନିହାତି ଜରୁରି ରହିଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ଏହି ମ୍ୟାଚକୁ ଜିତି ସିରିଜ ହାତେଇବାକୁ ପ୍ରୟାସ କରିବ । ୨୪୨ ରନର ପିଛା କରି ବ୍ୟାଟିଂ ଜାରି ରଖିଛି ନ୍ୟୁଜିଲାଣ୍ଡ ଟିମ ।