ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଭାରତ ସହ ଏବେ କୌଣସି ବାଣିଜିକ୍ୟ ଚୁକ୍ତି ହେବ ନାହିଁ । ଆମର ଭାରତ ସହ ବାଣିଜିକ୍ୟ ଚୁକ୍ତି ହେବାର ଅଛି କିନ୍ତୁ ଏବେ ନୁହେଁ, ମୁଁ ଏହି ବଡ ଚୁକ୍ତି ପରବର୍ତ୍ତି ମୁହୂର୍ତ୍ତ ପାଇଁ ବଞ୍ଚାଇ ରଖିଛି ।
ଭାରତ ଗସ୍ତ ପୂର୍ବରୁ ବାଣିଜ୍ୟକୁ ନେଇ କୌଣସି ଆଲୋଚନା ହେବ କି ନାହିଁ ସେ ବିଷୟରେ ଟ୍ରମ୍ପଙ୍କୁ ପଚାରିବାରୁ ସେ କହିଛନ୍ତି, ଭାରତ ସହ ବଡ ବାଣିଜିକ୍ୟ ଚୁକ୍ତି ହେବ, ଆମେ ଏହାକୁ ନିହାତି ଭାବେ କରିବୁ । କିନ୍ତୁ ଜଣାନାହିଁ ଏହା ନିର୍ବାଚନ ପୂର୍ବରୁ ହୋଇପାରିବ କି ନାହିଁ । ଆମ ସହିତ ଭାରତ ବହୁତ ଭଲ ବ୍ୟବହାର କରିନାହିଁ ।
ଏହାପରେ ମୋଦିଙ୍କର ଖୁବ୍ ପ୍ରଂଶସା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହୁତ ପସନ୍ଦ କରେ । ମୋଦି ମୋତେ କହିଛନ୍ତି କି ବିମାନ ବନ୍ଦର ଏବଂ ଷ୍ଟାଡିୟମ ମଧ୍ୟରେ ୭୦ ଲକ୍ଷ ଲୋକ ଉପସ୍ଥିତ ରହିବେ । ଏହା ଦୁନିଆର ସବୁଠାରୁ ବଡ ଷ୍ଟାଡିୟମ ହେବାକୁ ଯାଉଛି ।
ଫେବୃଆରୀ ୨୪ ରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଅବସରରେ ସେ ପାଖାପାଖି ୩ ଘଣ୍ଟା ଯାଏଁ ଏକ କାର୍ଯ୍ୟକ୍ରମ ପାଇଁ ଅହମଦାବାଦ୍ ଯିବେ । ଏହାସହିତ ତାଙ୍କର ଆଗ୍ରା ଏବଂ ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେପଟେ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅହମଦାବାଦ୍ ।