ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଚୀନରୁ ବ୍ୟାପିଥିବା କରୋନା ଭାଇରସ ଆଉ କେବଳ ଚୀନର ସମସ୍ୟା ହୋଇ ରହିନାହିଁ । ଏହି ସମସ୍ୟା ଏବେ ସାରା ବିଶ୍ୱ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସାରା ବିଶ୍ୱରେ ଏବେ କରୋନା ଭାଇରସ ୪୩ ଟି ରାଷ୍ଟ୍ରକୁ ଛୁଇଁ ତାର କାୟା ବିସ୍ତାର ଆରମ୍ଭ କରିବାରେ ଲାଗି ପଡିଲାଣି । ତେବେ ଏହି ଭାଇରସ ପାଇଁ ଚଳିତ ବର୍ଷ ହେବାକୁ ଥିବା କ୍ରୀଡା ମହାକୁମ୍ଭ ବାତିଲ ହୋଇପାରେ । ଟୋକିଓ ଅଲମ୍ପିକକୁ ନେଇ ଏବେ ଅନିଶ୍ଚିତତା ଦେଖା ଦେଇଛି । କାରଣ କରୋନା ଯେଉଁଭଳି ଭାବେ ବ୍ୟାପୁଛି ଏବେ ଏଭଳି ଏକ ଆୟୋଜନ ଏକ ସାଂଘାତିକ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଉଛି । ଟୋକିଓ ଅଲମ୍ପିକ ଆସନ୍ତା ଜୁଲାଇ ମାସରେ ଆରମ୍ଭ ହେବ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିିଛି ।
ସୂଚନା ଅନୁସାରେ ଯଦି ଆସନ୍ତା ମେ ମାସ ମଧ୍ୟରେ କରୋନା ଭାଇରସ ଭାଇରସ ଆୟତ୍ତକୁ ନ ଆସେ ତେବେ ଏହି ଅଲମ୍ପିକକୁ ବାତିଲ କରାଯାଇପାରେ । କାରଣ ଏବେ କରୋନାରେ ଜାପାନରେ ୧୬୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପଟେ ଏଥିରେ ବିଶ୍ୱର ଅନ୍ୟ ଦେଶ ମାନଙ୍କରୁ ଖେଳାଳୀ ମଧ୍ୟ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ଚୀନରୁ ମଧ୍ୟ ଖେଳାଳୀ ମାନେ ଏହି ମହାକୁମ୍ଭରେ ଯୋଗଦେବେ । ତେଣୁ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ହେବାକୁ ଥିବା ଏହି କ୍ରୀଡା ମହାକୁମ୍ଭକୁ ବାତିଲ କରାଯାଇପାରେ ବୋଲି ଜଣାପଡିଛି ।