ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାଖାପାଖି ତେର ଶହ ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା ଏକ ହିନ୍ଦୁ ମନ୍ଦିରର ଅବଶିଷ୍ଟାଂଶ ପାକିସ୍ତାନର ଉତ୍ତର ପଶ୍ଚିମ ପ୍ରାନ୍ତରୁ ମିଳିଛି । ପଶ୍ଚିମ ପାକିସ୍ତାନର ସ୍ୱାତ ଜିଲ୍ଲାରେ ପାହାଡ ଖନନ ସମୟରେ ଭଗବାନ ବିଷ୍ଣୁଙ୍କ ମନ୍ଦିରର ଏହି ଅବଶିଷ୍ଟାଂଶ ମିଳିଛି ।
ତେର ଶହ ବର୍ଷ ପୂର୍ବେ ନିର୍ମିତ ହିନ୍ଦୁ ମନ୍ଦିରର ସନ୍ଧାନ ପାକିସ୍ତାନୀ ଏବଂ ଇଟାଲୀୟ ପ୍ରତ୍ନତତ୍ତ୍ୱ ବିଶେଷଜ୍ଞଙ୍କ ଦ୍ୱାରା ସ୍ୱାତ ଜିଲ୍ଲାର ପାହାଡ ଉପରେ କରାଯାଇଥିଲା । ଗୁରୁବାର ଏହି ସନ୍ଧାନର ଘୋଷଣା କରି ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ ଫଜଲେ ଖଲୀକ କହିଛନ୍ତି କି, ଏହି ମନ୍ଦିର ଭଗବାନ ବିଷ୍ଣୁଙ୍କର । ୧୩ ଶହ ବର୍ଷ ପୂର୍ବେ ହିନ୍ଦୁ ସମ୍ରାଜ୍ୟ କାଳରେ ହିନ୍ଦୁ ମାନଙ୍କ ଦ୍ୱାରା ଏହି ମନ୍ଦିର ନିର୍ମିିତ ହୋଇଥିଲା ।
୮୫୦-୧୦୨୬ ଖ୍ରୀଷ୍ଟାଦ୍ଦ ରେ ହିନ୍ଦୁ ଶାହା ଏବଂ କାବୁଲ ଶାହିସ ନାମକ ଏକ ହିନ୍ଦୁ ରାଜବଂଶ ଥିଲେ । ଯାହା କାବୁଲ ଉପତ୍ୟକା (ପୂର୍ବ ଆଫଗାନିସ୍ତାନ), ଗାନ୍ଧାରା (ଆଧୁନିକ ପାକିସ୍ତାନ-ଆଫଗାନିସ୍ତାନ) ଏବଂ ଉତ୍ତର-ପଶ୍ଚିମ ଭାରତ ଉପରେ ଶାସନ କରୁଥିଲେ ।
ପାହାଡ ଖନନ ସମୟରେ ପ୍ରତ୍ନତତ୍ତ୍ୱବିତମାନେ ମନ୍ଦିର ନିକଟରେ କ୍ୟାଣ୍ଟନମେଣ୍ଟ ଏବଂ ସେଣ୍ଟିନେଲର ଚିହ୍ନ ମଧ୍ୟ ପାଇଛନ୍ତି । ଏହାସହିତ ସେମାନେ ସେଠାରେ ଏକ ପାଣି ଟାଙ୍କି ମଧ୍ୟ ଦେଖିବାକୁ ପାଇଛନ୍ତି । ଯାହାକୁ ସେମାନେ ପୂଜା ପୂର୍ବରୁ ସ୍ନାନ କରିବା ପାଇଁ ବ୍ୟବହାର କରୁଥିଲେ ବୋଲି ବିଶ୍ୱାସ କରାଯାଉଛି ।
ଫଜଲେ ଖାଲିକ୍ କହିଛନ୍ତି କି, ସ୍ୱାତ ଜିଲ୍ଲାରେ ଏକ ହଜାର ବର୍ଷ ପୁରୁଣା ପ୍ରତ୍ନତାତ୍ତ୍ୱିକ ସ୍ଥାନ ରହିଛି ଏବଂ ହିନ୍ଦୁ ରାଜକୀୟ ସମୟର ଚିହ୍ନ ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ମିଳିଛି ।