ବ୍ୟାଙ୍କକ (ଏଟିଆର ବ୍ୟୁରୋ): ଫିଲିପାଇନ୍ସର କ୍ୟାଟରିଓନା ଇଲିଶା ଗ୍ରେ ‘ମିସ୍ ୟୁନିଭର୍ସ ୨୦୧୮’ର ବିଜୟନୀ ହୋଇଛନ୍ତି । ତାଙ୍କ ମଥାରେ ଝଟକୁଛି ବ୍ରହ୍ମାଣ୍ଡ ସୁନ୍ଦରୀର ମୁକୁଟ । ଏହି ମୁକୁଟକୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ମିସ୍ ୟୁନିଭର୍ସ ଡେମି ଲେ ନେଲ ପିିଟର୍ସ କ୍ୟାଟରିଓନାଙ୍କ ମଥାରେ ପିନ୍ଧାଇଥିଲେ । ପ୍ରତିଯୋଗୀତାରେ ଦକ୍ଷିଣ ଆଫ୍ରିକାର ଟ୍ୟାମରିନ୍ ଗ୍ରୀନ୍ ପ୍ରଥମ ରନର୍ସ ଅଫ୍ ଏବଂ ବେନେଜୁଏଲାର ସ୍ଥେଫନୀ ଗୁଟରେଜ ଦ୍ୱିତୀୟ ରନର୍ସଅପ୍ ହୋଇଛନ୍ତି ।
ପ୍ରତିଯୋଗିତାର ଟପ୍ ୫ରେ ଫିଲିପାଇନ୍ସ, ଦକ୍ଷିଣଆଫ୍ରିକା, ବେନେଜୁଏଲା, ପ୍ୟୁର୍ତ୍ତେ ରିକୋ ଏବଂ ଭିଏତନାମାର ପ୍ରତିାଯାଗୀମାନେ ସାମିଲ ଥିଲେ । ସେହିପରି ଟପ୍ ୧୦ରେ ଥାଇଲାଣ୍ଡ, ନେପାଳ, କାନାଡା, କ୍ୟୁରାକାଓ ଏବଂ କାଂଷ୍ଟା ରିକାର ସୁନ୍ଦରୀମାନେ ରହିଥିଲେ । ମାତ୍ର ଭାରତର ମିସ୍ ନେହଲ ଚୁଦାସମା ଏହି ଟପ୍ ୧୦ରୁ ବାଦ୍ ପଡିଥିଲେ । ସବୁଠୁ ବଡ କଥା ହେଲା ଚଳିତ ବର୍ଷ ଏହି ପ୍ରତିଯୋଗୀତାରେ ପ୍ରଥମ ଥର ପାଇଁ ସ୍ପେନର ଏଞ୍ଜେଲା ପାନ୍ସ ନାମକ ଜଣେ କିନ୍ନର ଭାଗ ନେଇଥିଲେ । ହୁଏତ ସେ ଶୀର୍ଷ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ବନାଇ ପାରିଲେ ନାହିଁ, କିନ୍ତୁ ମଞ୍ଚ ଉପରେ ସ୍ୱାଗତ ଜଣାଇ ତାଙ୍କର ମନବଳକୁ ବଢାଇ ଦିଆଯାଇଥିଲା ।