ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତର ଦ୍ରୁତ ବୋଲର ମହମ୍ମଦ ସାମି ୨୦୧୯ର ସର୍ବାଧିକ ସଫଳ ଦିନିକିଆ ବୋଲର ଭାବେ ଶୀର୍ଷରେ ରହିଛନ୍ତି । ସାମି ଚଳିତ ବର୍ଷ ୨୧ଟି ଆନ୍ତର୍ଜାତିକ ଦିନିକିଆ ମ୍ୟାଚ ଖେଳି ୪୨ଟି ୱିକେଟ ନେଇଛନ୍ତି । ବର୍ଷର ସର୍ବାଧିକ ସଫଳ ଦିନିକିଆ ବୋଲର ହେବାର କୀର୍ତ୍ତିମାନ ଦ୍ୱିତୀୟ ଥର ପାଇଁ ସାମି ହାସଲ କରିଛନ୍ତି । ଏହା ପୂର୍ବରୁ ସେ ୨୦୧୪ରେ ଦିନିକିଆରେ ୩୮ଟି ୱିକେଟ ଅକ୍ତିଆର କରି ସେ ପ୍ରଥମ ଥର ପାଇଁ ଶୀର୍ଷ ରହିଥିଲେ ।
ସେହିଭଳି ସାମିଙ୍କ ପରେ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ୨୦ ଟି ମ୍ୟାଚ ଖେଳି ୨୩.୯୭ ହାରରେ ୩୮ଟି ୱିକେଟ ନେଇ ଦ୍ୱିତୀୟରେ ଅଛନ୍ତି । ସେହିପରି ନ୍ୟୁଜିଲାଣ୍ଡର ଲୋକି ଫର୍ଗୁସନ୍ ୧୭ଟି ମ୍ୟାଚ ଖେଳି ୩୫ ଟି ୱିକେଟ ନେଇ ତୃତୀୟ ସ୍ଥାନରେ ଅଛନ୍ତି । ସେହିଭଳି ଚତୁର୍ଥ ସ୍ଥାନରେ ବାଂଲାଦେଶ ବାମହାତୀ ଦ୍ରୁତ ବୋଲର ମୁସ୍ତଫିଜୁର୍ ରହମାନ୍ ୧୬ ଟି ମ୍ୟାଚ ଖେଳି ୩୪ଟି ୱିକେଟ ନେଇଥିବା ବେଳେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୧୯ ଟି ମ୍ୟାଚ ଖେଳି ୩୩ଟି ୱିକେଟ ନେଇ ପଞ୍ଚମ ସ୍ଥାନ ଅକ୍ତିଆର କରିଛନ୍ତି । ଅନ୍ୟପଟେ ସ୍ପିନରଙ୍କ ମଧ୍ୟରେ ଭାରତର କୁଳଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଯଥାକ୍ରମେ ୩୨ ଓ ୨୯ ଟି ୱିକେଟ ନେଇ ଶୀର୍ଷରେ ଅଛନ୍ତି ।