ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତ ଋଷିଆ ଠାରୁ ଏସ୍-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ କିଣିଲେ ଭାରତ ଉପରେ କଟକଣା ଲଗାଇବ ଆମେରିକା । ଭାରତ ଓ ଆମେରିକା ମଧ୍ୟରେ ଆଭ୍ୟନ୍ତରୀଶ ସମ୍ପର୍କ ଭଲ ଥିଲେ ମଧ୍ୟ ଆମେରିକା ଭାରତକୁ ଏପରି ଚେତାବନୀ ଦେଇଛି ।
ଋଷିଆରୁ ୫ଟି ରେଜିମେଣ୍ଟ ଏସ୍-୪୦୦ କିଣିବାକୁ ୨୦୧୮ ରେ ଋଷିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ଚୁକ୍ତି ହୋଇଥିଲା । ଋଷିଆ ରାଷ୍ଟ୍ରପତି ଭ୍ଳାଦିମିରଙ୍କ ଗସ୍ତ ସମୟରେ ଋଷିଆ ସହିତ ଭାରତର ୫.୪୩ ବିଲିୟନ ଡଲାର ମୂଲ୍ୟର ଚୁକ୍ତି ହୋଇଥିଲା ।
ସୁଚନା ଅନୁସାରେ ଋଷିଆ ଠାରୁ ଯେଉଁ ଦେଶ ଏସ୍-୪୦୦ କିଣୁଛି ଆମେରିକା ସେହି ଦେଶ ଉପରେ କଟକଣା ଲଗାଉଛି । ତୁର୍କୀ ଏସ୍-୪୦୦ କିଣିବା ପରେ ଆମେରିକା ତୁର୍କୀ ବିରୁଦ୍ଧାର ଆର୍ଥିକ ଓ ଟେକନୋଲୋଜି ହସ୍ତାନ୍ତର କ୍ଷେତ୍ରରେ କଟକଣା ଲଗାଇଛି ।
ତେବେ ଆମେରିକାର ଏସ୍-୪୦୦ ପ୍ରତି ଏପରି ଆଭିମୁଖ୍ୟ ସତ୍ତେ୍ୱ ଭାରତ ଋଷିଆ ଠାରୁ ଏସ୍-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ କିଣିବାର ନିଷ୍ପତି ବଜାୟ ରଖିଛି ।
ସେପଟେ ଆମେରିକା ପରରାଷ୍ଟ୍ର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେରୀକା ଦ୍ୱାରା ଭାରତକୁ ଏକ ପ୍ରମୁଖ ସହଯୋଗୀ ରାଷ୍ଟ୍ରର ମାନ୍ୟତା ଦିଆଯିବାର ଅର୍ଥ ଏହା ନୁହେଁ ଯେ ଭାରତ ସବୁ ପ୍ରକାରର କଟକଣାରୁ ମୁକ୍ତି ପାଇଯିବ ।
ତେବେ ଭାରତ ଏସ୍-୪୦୦ କିଣିସାରିବା ପରେ ଏହା ଆମେରିକା ପାଇଁ କେତେ ବିପଦ ସୃଷ୍ଟି କରିବ ତାର ସମୀକ୍ଷା କରାଯିବା ପରେ ହିଁ ଆମେରିକା ଭାରତ ଉପରେ କଟକଣା ଲଗାଇବ ବୋଲି ଆମେରିକା ପକ୍ଷରୁ ସ୍ପଷ୍ଟ ସୁଚନା ମିଳିଛି ।