ଯାଜପୁର (ଏଟିଆର ବ୍ୟୁରୋ): କଠିନ ପରିଶ୍ରମ ଓ ଅଦମ୍ୟ ଇଚ୍ଛା ଶକ୍ତି ମନରେ ରଖିଲେ ଆପଣ ସବୁ ସଫଳତାକୁ ନିଜ ହାତ ମୁଠାରେ ପାଇ ପାରିବେ । ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ସଂଗ୍ରାମ କେଶରୀ ଜେନା ଏହିଭଳି କିଛି ଦୃଢ ମନ ବଳ ଓ ପରିଶ୍ରମ ଯୋଗୁଁ ନିଜ ନା’ରେ ବିଶ୍ୱ ରେକର୍ଡ ହାସିଲ କରିବାରେ ସକ୍ଷମ ହୋଇ ପାରଛନ୍ତି । ଏହି ବିଶ୍ୱ ରେକର୍ଡ ସେ ଭାରତୀୟ ସେନା ସିଗ୍ନାଲ ବିଭାଗର ଡେୟାର ଡେଭିଲ ଟିମରେ ଯୋଗ ଦେଇ ହାସିଲ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ, ସଂଗ୍ରାମ ଜବଲପୁରରେ ଆୟୋଜିତ ହୋଇଥିବା ଡେୟାର ଡେଭିଲ ଶୋ’ ରେ ଭାଗ ନେଇ ଏହି ଗୌରବ ହାସିଲ କରିଛନ୍ତି । ସଂଗ୍ରାମ ୪ଘଣ୍ଟା ୨୯ମିନିଟ ୪୫ ସେକେଣ୍ଡ ଗୋଟିଏ ବୁଲେଟ ଉପରେ ୧୧ଫୁଟ ଉଚ୍ଚ ସିଡି ଉପରେ ଓଲଟା ଠିଆ ହୋଇ ୧୨୮ କିଲୋମିଟର ଦୂରତା ଅତିକ୍ରମ କରିଥିଲେ । ଏହା ପୂର୍ବରୁ ବିଏସଏଫ ଯବାନ ଅବଦେଶ ସିଂ ୬୮ କିଲୋମିଟର ଯାଇ ରେକର୍ଡ କରିଥିବା ବେଳେ ତାଙ୍କର ଏହି ରେକର୍ଡକୁ ସଂଗ୍ରାମ ଭାଙ୍ଗିବା ସହ ନିଜ ନା’ରେ ଏହି ରେକର୍ଡ ନାମିତ କରିଛନ୍ତି ।
ତାଙ୍କ ନା’ ଗିନିଜ ବୁକ ଅଫ ୱାଲଡ ରେକର୍ଡରେ ସ୍ଥାନ ପାଇବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବା ସହ ତାଙ୍କ ଗାଁରେ ଖୁସିର ମାହୋଲ ଖେଳିଯାଇଛି । ସଂଗ୍ରାମ ଏହି ବାବଦରେ ନିଜର ଖୁସି ଜାହିର କରିବା ସହ କହିଛନ୍ତି, ଟ୍ରେନିଂ ସହ ଅଭ୍ୟାସ କରିବାକୁ ମତେ ବର୍ଷେ ଲାଗିଗଲା, ପ୍ରତିଦିନ ୫ଘଣ୍ଟା ଅଭ୍ୟାସ ମଧ୍ୟ କରିଥାଏ ଏବଂ ଏହା ଭିତରେ ସେ ଅନେକ ଥର ଗାଡିରୁ ପଡି ଥିବା କଥା କହିଛନ୍ତି । ସଂଗ୍ରାମଙ୍କର ଏହି ସଫଳତା ଯେ ଖାଲି ଭାରତ ପାଇଁ ଗର୍ବ ଆଣିଛି ତାହା ନୁହେଁ ଏହା ଓଡ଼ିଶା ବାସୀଙ୍କୁ ମଧ୍ୟ ଗର୍ବତ କରିଛି ।