ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଅ ତୁଳନାରେ ଏବେ ଝିଅ କୌଣସି ବି ଗୁଣରେ ବି କମ ନୁହନ୍ତି । ଆମ ସମାଜରେ ଅନେକ ସମୟରେ ପୁଅ ଝିଅଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଥାଏ । ଝିଅମାନେ ନିଜ ପରିବାର ସମ୍ଭାଳିବା ସହ ପାଠ ପଢି ନିଜ ସ୍ୱପ୍ନକୁ ବି ପୁରଣ କରିପାରିବେ । ଝିଅକୁ ବୋଝ ଭାବି ସେମାନଙ୍କୁ ବିବାହ କରି ନିଜର ଦାୟିତ୍ୱ ତୁଲାଇ ଦେଉଥିବା ବାପାମା’ଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଓଡିଆ ଝିଅ ଓଁ ନାରାୟଣୀ ।
ଦୁନିଆର ଶ୍ରେଷ୍ଠ ମହାଆକାଶ ଗବେଷଣା ସଂସ୍ଥା ନାସାରେ ବୈଜ୍ଞାନିକ ହେଲେ ଓଡିଆ ଝିଅ ଓଁ ନାରାୟଣୀ । ଓଁଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ହାଟସାହି । ବିରଞ୍ଚି ନାରାୟଣ ଓ ଗୀତାଞ୍ଜଳି ନାୟକଙ୍କ ସୁକନ୍ୟା ହେଉଛନ୍ତି ଓଁ । ସେ ଏବେ ପରିବାର ସହିତ ଆମେରିକାରେ ରହୁଛନ୍ତି । ପିଲାଟି ଦିନରୁ ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖିଥିବା ଓଁ ନାରାୟଣୀ ଏବେ ନାସାରେ ବୈଜ୍ଞାନିକ ରୂପେ ଯୋଗ ଦେଇଛନ୍ତି । ଆମେରିକାର ବର୍କଲେ ବିଶ୍ୱବିଦ୍ୟାଳୟ ଓ ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନ ଇମ୍ପାରିଆଲ୍ କଲେଜରେ ସେ ପାଠ ପଢିଛନ୍ତି ।
ସେ ମହାକାଶ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନରେ ଗବେଷଣା କରି ପିଏଚ୍ଡି ଡିଗ୍ରୀ ହାସଲ କରିଥିଲେ । ଏଥିସହ ଜର୍ମାନ, ଫ୍ରାନ୍ସ, ନେଦର୍ଲ୍ୟାଣ୍ଡ, ଲଣ୍ଡନ, ଚୀନ୍, ଜାପାନ, ଭିଏତନାମ୍, ବ୍ରାଜିଲ୍, ଚିଲି ଆଦି ଅନେକ ଦେଶରେ ଆୟୋଜିତ ମହାକାଶ ବିଜ୍ଞାନ ସମ୍ମିଳନୀ ଓ କର୍ମଶାଳା ଗୁଡ଼ିକରେ ମଧ୍ୟ ସେ ଭାଗ ନେଇଛନ୍ତି । ବୈଜ୍ଞାନିକ ହେବା ପରେ ସେ ତାଙ୍କର ସଫଳାତାର ଶ୍ରେୟ ବାପାମା’କୁ ଦେଇଛନ୍ତି ।