ଇସଲାମବାଦ(ଏଟିଆର ବ୍ୟୁରୋ): ଆମେରିକା ଓ ଇରାନ ଭିତରେ ବର୍ତ୍ତମାନ ଯୁଦ୍ଧର ଚର୍ଚ୍ଚା ସାରା ବିଶ୍ୱରେ ଚାଲିଛି । ଦିନକୁ ଦିନ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଘନୀଭୂତ ହେବାକୁ ଲାଗିଛି । ଇରାନ ନାଲି ପତକା ଦେଖାଇ ଆଗାମୀ ଯୁଦ୍ଧର ସୁଚନା ଦେଇସାରିଲାଣି ।
ଏଥି ମଧ୍ୟରେ ଯଦି ଯୁଦ୍ଧ ହୁଏ ତେବେ ଅନ୍ୟ ଦେଶମାନେ କେଉଁ ଦେଶ ସପକ୍ଷରେ ଯିବେ ତାର ଚର୍ଚ୍ଚା ମଧ୍ୟ ଜୋର ଧରିଲାଣି । କିଏ କୋଉ ଦେଶକୁ ସହଯୋଗ କରିବେ ତାହା ସ୍ପଷ୍ଟ ଜଣାପଡୁଥିଲେ ବି ଇରାନ ସୀମାକୁ ଲାଗିଥିବା ପାକିସ୍ତାନର ଦ୍ୱମୁହାଁ ନୀତି ସାମ୍ନାକୁ ଆସିଛି ।
ସୁଚନା ଅନୁସାରେ ଯଦି ଯୁଦ୍ଧ ହୁଏ ତେବେ ଆମେରିକା ସେନା ଇରାନ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନର ବିମାନ ବନ୍ଦର ବ୍ୟବହାର କରିପାରେ ।
ପାକିସ୍ତାନ ଇରାନ ସୀମାକୁ ଲାଗିଥିବାରୁ ଆମେରିକାରର ଯୁଦ୍ଧ ବିମାନ ପାକିସ୍ତାନର ବିମାନ ବନ୍ଦର ବ୍ୟବହାର କରିପାରେ ବୋଲି ଆଲୋଚନା ହେଉଛି । ଏଥିପାଇଁ ଆମେରିକା ସରକାର ପାକିସ୍ତାନ ସହିତ କଥାବାର୍ତ୍ତା ମଧ୍ୟ କରିଛନ୍ତି ।
ମାତ୍ର ଏବେ ପାକିସ୍ତାନ ସେନା ମୁଖ୍ୟ ଅଲଗା ବୟାନ ଦେଇଛନ୍ତି । ଆମେରିକା-ଇରାନ ଯୁଦ୍ଧରେ ପାକିସ୍ତାନ କୌଣସି ଦେଶକୁ ସମର୍ଥନ କରିବ ନାହିଁ ଏବଂ ଶାନ୍ତି ବଜାୟ ରଖିବ ବୋଲି ପାକିସ୍ତାନ ସେନା ମୁଖପାତ୍ର ଆସିଫ ଗଫୁର ପ୍ରତିକ୍ରିୟା ଦେଇଛନ୍ତି ।
ପାକିସ୍ତାନରେ ସରକାର ଥିଲେ ମଧ୍ୟ ଦେଶ ସେନା ଇସାରାରେ ଚାଲିଛି ବୋଲି ସମସ୍ତଙ୍କୁ ଜଣା । ତେବେ ଏମିତି ଏକ ଗୁରୁତ୍ୱପୁର୍ଣ୍ଣ ଘଟଣାରେ ପାକିସ୍ତାନର ଶାନ୍ତି ବଜାୟ ରଖିବା କଥାଟି ଲଙ୍କାରେ ହରି ଶବ୍ଦ ପରି ଲାଗୁଛି ।