ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କରୋନା ଭାଇରସ ଭୟରେ ଚୀନରେ ଫସିଥିବା ଭାରତୀୟମାନଙ୍କୁ ପୂର୍ବରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଫେରାଇ ଅଣାଯାଇଥିଲା । ଏହା ପରେ ମଧ୍ୟ ଆହୁରି ବହୁତ ଭାରତୀୟ ଏପର୍ଯ୍ୟନ୍ତ ଚୀନରେ ଫସିରହିଛନ୍ତି ।
ସେମାନଙ୍କ ପାଇଁ ପୁଣି ଥରେ ସହାୟତାର ହାତ ବଢାଯାଉଛି । ସୂଚନା ଅନୁସାରେ କରୋନା ଭାଇରସର ମୁକାବିଲା କରିବା ପାଇଁ ଭାରତରୁ ଚୀନକୁ ଔଷଧ ପ୍ରେରଣ କରାଯାଉଛି । ଏବଂ ଏହି ଔଷଧ ବିମାନ ଯୋଗେ ଚାଇନାକୁ ପଠାଯିବ । ଔଷଧ ନେଇ ଚୀନକୁ ଯିବାକୁଥିବା ବିମାନ ଗୁଡିକ ଔଷଧ ଦେଇ ସାରିବା ପରେ ଖାଲି ଫେରିବ । ତେଣୁ କେନ୍ଦ୍ର ସରକାରଙ୍କ ପ୍ରୟାସରେ ବର୍ତ୍ତମାନ ଏହି ଖାଲି ଫେରିବାକୁ ଥିବା ବିମାନରେ ସେଠାରେ ଫସି ରହିଥିବା ଭାରତୀୟ ମାନଙ୍କୁ ଭାରତ ଫେରାଇ ଅଣାଯିବ ।
ସରକାରଙ୍କ ଏହି ପ୍ରଚେଷ୍ଟା ଦ୍ୱାରା ଚାଇନାରେ ଫସିରହିଥିବା ବାକି ଭାରତୀୟମାନଙ୍କୁ ଉଦ୍ଧାର କରାଯାଇପାରିବ । ଚୀନରୁ ଫେରୁଥିବା ଭାରତୀୟମାନଙ୍କୁ ଭାରତରେ ସ୍ୱତନ୍ତ୍ର ଟେଷ୍ଟ କରାଇ ସେମାନଙ୍କ ପାଖରେ କରୋନା ଲକ୍ଷ୍ୟଣ ଅଛି କି ନାହିଁ ପରୀକ୍ଷା କରାଯିବା ପରେ ସେମାନଙ୍କୁ ନିଜ ଘରକୁ ଯିବାକୁ ଅନୁମତି ମିଳୁଛି ।