ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱର ପ୍ରଥମ କରୋନା ଭ୍ୟାକ୍ସିନ ବାହାର କରିଥିବା ଦେଶ ଋଷ ତାର ଭ୍ୟାକ୍ସିନର ପ୍ରଥମ ପର୍ଯ୍ୟାୟ ଉତ୍ପାଦନ ସମ୍ପୂର୍ଣ୍ଣ କରି ସାରିଛି । କରୋନା ଭ୍ୟାକ୍ସିନର ସମସ୍ତ ଯାଞ୍ଚ ପୁରା ହୋଇ ସାରିଛି ବୋଲି ମଙ୍ଗଳବାର ଋଷ ଦାବି କରିଥିଲା ।
ଭ୍ୟାକ୍ସିନକୁ ନେଈ ରାଷ୍ଟ୍ରପତି ପୁଟିନ ଘୋଷଣା କରିବାର ୪ ଦିନ ପରେ ହିଁ ପ୍ରଥମ ପ୍ରର୍ଯ୍ୟାୟ ଭ୍ୟାକ୍ସିନ ପ୍ରସ୍ତୁତ କରିନେଇଛି ଋଷ । ମାତ୍ର ଆମେରିକା ସମେତ ଅନେକ ଦେଶ ଋଷର ଏହି ସ୍ପୁଟିନିକ ଭି ନାମକ ଭ୍ୟାକ୍ସିନକୁ ଭରସା କରୁ ନାହାନ୍ତି । ଏହାସହିତ ଏହି ଭ୍ୟାକ୍ସିନକୁ ବି ବିଶ୍ୱ ସ୍ୱାସ୍ଥ୍ୟ ସଂଘଠନ ପକ୍ଷରୁ କୌଣସି ମଞ୍ଜୁରୀ ମିଳିନାହିଁ ।
ସ୍ୱାସ୍ଥ୍ୟ ସଂଗଠନର କହିବାନୁଯାୟୀ, ଋଷର ଭ୍ୟାକ୍ସିନକୁ ଏବେ ବି କଡା ଯାଞ୍ଚ କରିବାର ଅବଶ୍ୟକତା ରହିଛି । ଏହା କେତେ ସୁରକ୍ଷିତ ତାହା ଯାଞ୍ଚ ପରେ ହିଁ ଜଣା ପଡିବ ।
ସେପଟେ ଋଷ କହିଛି କି ଗାମଲେୟା ରିସର୍ଚ୍ଚ ଇଂଷ୍ଟିଚ୍ୟୁଟ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଭ୍ୟାକ୍ସିନର ପ୍ରଥମ ପର୍ଯ୍ୟାୟର ଉତ୍ପାଦନ ପ୍ରସ୍ତୁତ ହୋଇସାରିଛି । ଏହାସହିତ ଏହି ଭ୍ୟାକ୍ସିନକୁ ବ୍ୟବସାୟ ଉଦ୍ୟେଶରେ ସେପ୍ଟମ୍ବରରେ ଉତ୍ପାଦନ ଆରମ୍ଭ କରାଯିବ ।
ଋଷ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଦେଶରେ ତିଆରି କରାଯାଇଥିବା ଭ୍ୟାକ୍ସିନକୁ ପ୍ରଥମେ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କୁ ଦିଆଯିବ । ଏହାପରେ ଅନ୍ୟ ଲୋକଙ୍କୁ ଏହାର ଡୋଜ ଦିଆଯିବ ।