ଇରାକ (ଏଟିଆର ବ୍ୟୁରୋ ) ; ମଡେଲଙ୍କୁ ଗୁଳି କରି ହତ୍ୟା । ଲୋକପ୍ରିୟତା ହେଲା କାଳ । ମଡେଲଙ୍କ ଲୋକପ୍ରିୟତାକୁ ସହିପାରିନପାରି ବିରୋଧୀ ଆପଣାଇଲେ ଏପରି ବାଟ । ଇରାକର ଜଣେ ପ୍ରସିଦ୍ଧ ମଡେଲଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୃତ । ମୃତ୍ୟୁବରଣ କରିଥିବା ମଡେଲଙ୍କ ନାମ ତାରା ଫାରିସ । ତାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲେ ହେଁ ସେ ବହୁ ଲୋକଙ୍କ ପ୍ରିୟ ଥିଲେ । ଏତେ କମ ବୟସରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଯାହା ତାଙ୍କ ମୃତ୍ୟୁର କାରଣ ପାଲଟିଛି ।
ଏହି ଘଟଣା ଇରାକର ରାଜଧାନୀ ବାଗଦାଦରେ ଘଟିଛି । ଏକ କାରରେ ତାରା ବସିଥିବା ବେଳେ ହଠାତ ତାଙ୍କ ଉପରକୁ ଗୁଳି ବର୍ଷଣ ହୋଇଥିଲା । ତେବେ ଘଟଣା ସ୍ଥଳରେ ହିଁ ତାରାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ଖୋଦ ଇରାକର ଗୃହ ମନ୍ତ୍ରଣାଲୟ ପକ୍ଷରୁ ସୂଚନା ମଧ୍ୟ ଦିଆଯାଇଛି ।
ତାରା ନିଜର ଟାଟୁ , ସୁନ୍ଦର ବାଳ , ବିଭିନ୍ନ ପ୍ରକାରର ପୋଷାକ ପାଇଁ ବେଶ ଜଣାଶୁଣାଥିଲେ । ତାଙ୍କୁ ଇରାକର ଇଷ୍ଟାଗ୍ରାମ ମଡେଲ ବୋଲି କୁହାଯାଉଥିଲା । ତାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରେ ପାଖାପାଖି ୨୭ଲକ୍ଷ ଫଲୋଅର୍ସ ଅଛନ୍ତି । ସେ ବହୁତ କମ ବୟସରେ ଏକ ସୁନ୍ଦରୀ ପ୍ରତିଯୋଗିତାକୁ ମଧ୍ୟ ଜିତିନେଇଥିଲେ । ତେବେ ଲୋକପ୍ରିୟତା ହିଁ ତାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି କୁହାଯାଉଛି । ଦେଶର କେତେକ କଠୋରପନ୍ଥୀ ଲୋକମାନେ ହିଁ ତାଙ୍କୁ ହତ୍ୟା କରିଥିବେ ବୋଲି ପୋଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି ।