ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଆଜି ଗାନ୍ଧି ଜୟନ୍ତି । ସାରା ଦେଶ ଗାନ୍ଧିଙ୍କ ନୀତି ଆଦର୍ଶକୁ ମନେ ପକାଇ ଆଜି ପାଳନ କରୁଛି ୧୫୦ ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ଗାନ୍ଧିଙ୍କୁ ସମ୍ମାନିତ କରିବ ଆମେରିକା । ଭାରତର ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶାନ୍ତି ଓ ଅହିଂସା ପାଇଁ ଅମେରିକା ତାର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରିବା ପାଇଁ ଯୋଜନା କରିଛି ।
ଗାନ୍ଧିଜୀଙ୍କୁ ଏଯାଏଁ ଭାରତ ରତ୍ନ ମିଳିନଥିବା ବେଳେ ଆମେରିକା ଏହି କ୍ଷେତ୍ରରେ ଭାରତ ଠାରୁ ଆଗକୁ ପଳାଇଯାଇଛି । ଗାନ୍ଧିଜୀଙ୍କୁ ଆମେରିକା ତାର ଶ୍ରେଷ୍ଟ ବେସାମରିକ ସମ୍ମାନ ‘କଂଗ୍ରେସନାଲ ଗୋଲ୍ଡ ମେଡାଲ’ ପ୍ରଦାନ କରିବାକୁ ଯାଉଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗାନ୍ଧିଜୀଙ୍କୁ ଏହି ସମ୍ମାନ ଦେବା ପ୍ରସ୍ତାବକୁ ବର୍ତ୍ତମାନ ଆର୍ଥିକ ସେବା କମିଟି ଏବଂ ଗୃହ ପ୍ରଶାସନିକ କମିଟିକୁ ପଠାଇ ଦିଆଯାଇଛି ।
ତେବେ ପୂର୍ବରୁ ମଦର୍ ଟେରେସା, ନେଲସନ୍ ମାଣ୍ଡେଲା, ପୋପ୍ ଜନ୍ ପଲ୍, ଦଲାଇ ଲାମା, ଅଙ୍ଗ୍ ସାନ୍ ସୁଚୀ, ମହମ୍ମଦ୍ ୟୁନୁସ୍ ଏବଂ ସାଇମନ୍ ପେରେସ୍ଏହି ପୁରସ୍କାରରେ ସମ୍ମାନିତ ହୋଇସାରିଛନ୍ତି । ସେପଟେ ଅହିଂସାକୁ ଅସ୍ତ୍ର ମାଧ୍ୟମରେ ଗାନ୍ଧିଜୀ ଆନ୍ଦୋଳନ କରି ସାରା ବିଶ୍ୱକୁ ଅନୁପ୍ରାଣିତ କରିଥିବା ଆମେରିକାନ୍ କଂଗ୍ରେସ୍ ସଦସ୍ୟ କ୍ୟାରୋଲିନ୍ ମାଲୋନୀ କହିଛନ୍ତି ।