ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଋଷକୁ ୪ ବର୍ଷ ବାସନ୍ଦ କରିଛି ୱାଡା । ବିଶ୍ୱ ଡୋପିଂ ନିରୋଧୀ ଏଜେନ୍ସି(ୱାଡା) ଋଷ ଉପରେ ୪ ବର୍ଷ ବାସନ୍ଦାଦେଶ ଲଗାଇଛି । ଋଷ ଡୋପିଂରୋଧୀ ପ୍ରୟୋଗଶାଳାକୁ ଭୁଲ ତଥ୍ୟ ଦେବା ଆରୋପରେ ୱାଡା ଏହି ବାସନ୍ଦାଦେଶ ଲଗାଇଛି । ଋଷ ଉପରେ ଅଭିଯୋଗ ହେଇଛି ଯେ ଋଷ ଡୋପିଂ ମାମଲାରେ ଥିବା ନିୟମର ପାଳନ କରିନାହିଁ । ୱାଡା ତରଫରୁ କୁହାଯାଇଛି ଯେ, ସ୍ୱିଜରଲାଣ୍ଡରେ ଅନୁଷ୍ଠିତ ଏକ ବୈଠକରେ ସର୍ବସମ୍ମତିରେ ଏହି ନିଷ୍ପତି ନିଆଯାଇଛି । ଏହି ନିଷ୍ପତି ନିଆଯିବା ପରେ ମଧ୍ୟ ଋଷର ଯେଉଁ ଆଥଲେଟ ଡୋପରୁ ଦୂରେଇ ଅଛନ୍ତି ସେମାନେ ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ଋଷର ବିନା ପତକା ଓ ଜାତୀୟ ସଙ୍ଗୀତ ବିନା ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳି ପାରିବେ ବୋଲି ୱାଡର ପକ୍ଷରୁ ସୂଚନା ମିଳିଛି ।
ଋଷ ଆସନ୍ତା ୨୧ ଦିନ ଭିତରେ ୱାଡା ଲଗାଇଥିବା ବାସନ୍ଦା ଦେଶ ଉପରେ ଅପିଲ କରି ପାରିବ । ଯଦି ଋଷ ଅପିଲ କରେ ତେବେ ଏହି ମାମଲା କୋର୍ଟ ଅଫ ଅର୍ବିଟ୍ରେସନ ଫର ସ୍ପୋର୍ଟ୍ସକୁ ସ୍ଥାନାନ୍ତର କରାଯିବ । ୱାଡା ଲଗାଇଥିବା ଏହି ବସନ୍ଦାଦେଶ ଫଳରେ ଋଷ ଆସନ୍ତା ବର୍ଷରେ ହେଉଥିବା ଟୋକିଓ ଅଲମ୍ପିକ୍ ଓ ୨୦୨୨ ବେଜିଂ ଶୀତକାଳୀନ ଅଲମ୍ପିକ୍ରେ ଭାଗ ନେଇ ପାରିବନି । ଏହା ସହ ୨୦୨୨ରେ କତାରେ ହେବାକୁ ଥିବା ଫୁଟବଲ ବିଶ୍ୱକପରେ ମଧ୍ୟ ଋଷ ଭାଗ ନେଇ ପାରିବନି । ଆଗାମୀ ଚାରି ବର୍ଷ ପର୍ଯ୍ୟନ୍ତ ଋଷ କୌଣସି ମୁଖ୍ୟ ଆୟୋଜନରେ ସାମିଲ ହୋଇ ପାରିବ ନାହିଁ । ୱାଡା ଦ୍ୱାରା ନିଆଯାଇଥିବା ଏହି ନିଷ୍ପତି କ୍ରୀଡା ଜଗତରେ ଚହଳ ପକାଇ ଦେଇଛି ।