ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉଗ୍ର ହେଉଛି କରୋନାର ଦ୍ୱିତୀୟ ଲହର । ଗୋଟେଦିନରେ ଭାରତରେ ତିନି ଲକ୍ଷ ଉପରେ ମାମଲା ଚିହ୍ନଟ ହେଉଛି । ଏହି ମାମଲା ବୃଦ୍ଧିକୁ ନେଇ ଭାରତ ସମେତ ଅନ୍ୟ ଦେଶର ସରକାର ମଧ୍ୟ ଚିନ୍ତିତ ଅଛନ୍ତି । ଭାରତରେ କରୋନାର ଅନିୟନ୍ତ୍ରିତ ଗତି ଏବଂ ହସ୍ପିଟାଲରେ ରୋଗୀଙ୍କ ଶଯ୍ୟା ନଥିବା ଦେଖି ଗୋଟେପଟେ ଭାରତକୁ ରେଡ୍ ତାଲିକାରେ ପକାଇଛି ବ୍ରିଟେନ୍ । ଅନ୍ୟପଟେ ଭାରତରୁ ଫାନ୍ସ ଯାଉଥିବା ଯାତ୍ରୀଙ୍କୁ ୧୦ ଦିନ କ୍ୱାରେଣ୍ଟାଇନରେ ରହିବାର ନିର୍ଦ୍ଦେଶ ଦେଇଥିଲେ ଫ୍ରାନ୍ସ । ଏହାପରେ ଏବେ ଖବର ସାମ୍ନାକୁ ଆସିଛି କି କରୋନା ସହ ଲଢିବା ପାଇଁ ଭାରତକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ।
ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ କହିଛନ୍ତି କି, ଭାରତର ଲୋକଙ୍କୁ ମୁଁ ବାର୍ତ୍ତା ଦେବାକୁ ଚାହୁଁଛି କି, ଏହି କଠିନ ସମୟରେ ଫ୍ରାନ୍ସ ଆପଣଙ୍କ ସହ ଛିଡା ହୋଇଛି । ଆମେ ଆପଣଙ୍କ ସହ ସହଯୋଗ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
ସୂଚନାଯୋଗ୍ୟ, ଫ୍ରାନ୍ସ ବି କରୋନା କବଳରେ କବଳିତ କିନ୍ତୁ ଭାରତ ଭଳି ପରିସ୍ଥିତି ଏପର୍ଯ୍ୟନ୍ତ ଫ୍ରାନ୍ସରେ ହୋଇନାହିଁ ।