ଚୀନ (ଏଟିଆର ବ୍ୟରୋ) ; ଉଦଘାଟିତ ହେଲା ବିଶ୍ୱର ସବୁଠୁ ଲମ୍ବା ସେତୁ । ଏଣିକି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ଏହି ବିଶାଳ ସେତୁ । ୫୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ ଏହି ବ୍ରିଜ ହଂକଂ ଓ ମାକାଉରୁ ଜୁହୁହାଇର ମେନଲ୍ୟାଣ୍ଡ ଚାଇନା ସିଟି ଯାଏ ସଂଯୋଗ କରିବ । ଚୀନ ରାଷ୍ଟ୍ରପତି ଜିଙ୍ଗପିଙ୍ଗ ସହ ମାକାଉ ଓ ହୋଂକୋଂର ବିଭିନ୍ନ ବରିଷ୍ଠ ଅଧିକାରୀ ଜୁହୁହାଇସ୍ଥିତ ଉକ୍ତ ଉଦଘାଟନ ଉତ୍ସବରେ ଯୋଗଦାନ କରି ଏହି ବ୍ରିକ କୁ ଉଦଘାଟନ କରିଛନ୍ତି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।
ତେବେ ବ୍ରିଜଟି ଆସନ୍ତା ବୁଧବାର ଠାରୁ ସାଧାରଣ ଜନତାଙ୍କ ପାଇଁ ଖୋଲାଯିବ ବୋଲି ଜଣାପଡିଛି । ଏହି ବ୍ରିଜର ଲମ୍ବ ୫୫ କିଲୋମିଟର ହୋଇଥିବା ବେଳେ ଏହି ବ୍ରିଜଟିକୁ ନିର୍ମାଣ କରିବା ଲାଗି ୨୦ ବିଲିୟନ ଆମେରିକାନ ଡଲାର ବ୍ୟୟ ହୋଇଛି । ଏହି ସେତୁରେ ସର୍ପିଳରାସ୍ତା ସାଙ୍ଗକୁ ପାଣି ଭିତରେ ସୁଡଙ୍ଗ ରହିଛି । ବ୍ରିଜରେ ୬ ଟି ଲାଇନ ରହିଛି । ଏହା ଦ୍ୱାରା ଚୀନ , ମାକାଉ ଓ ହଂକଂକୁ ଯୋଗାଯୋଗ ସରଳ ହେବ ।
ଖାଲି ସେତିକି ନୁହେଁ ଏହା ଦ୍ୱାରା ଚୀନର ୧୧ଟି ସହରକୁ ମଧ୍ୟ ଗମନାଗମନ କରିବାର ବାଟ ଫିଟିଯିବା ବୋଲି ଜଣାପଡିଛି । ତେବେ ବଡ କଥା ହେଉଛି ଏହି ସେତୁକୁ ନିର୍ମାଣ କରିବା ଲାଗି ପାଖାପାଖି ୪ ଲକ୍ଷ ଟନ ଷ୍ଟିଲ ବ୍ୟବହାର କରାଯାଇଛି । ଏହା ଏତେ ଶକ୍ତିଯାଳୀ ଯେ ଭୂମିକମ୍ପ , ତଥା ସାମୁଦ୍ରିକ ଝଡରୁ ନିଜକୁ ରକ୍ଷା କରିବା ଲାଗି ଏହା ସକ୍ଷମ ଅଟେ । ତେବେ ପ୍ରତେକ ଦିନ ଏହି ସେତୁ ଦେଇ ୪୦ ହଜାର ଲୋକେ ଚଳାଚଳ କରିପାରିବେ ବୋଲି ଜଣାପଡିଛି ।