ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇଣ୍ଡିଆନ ଗ୍ୟାସ ଗ୍ରାହକଙ୍କ ପାଇଁ ଏଣିକି ଏଲପିଜି ଗ୍ୟାସ ସିଲିଣ୍ଡର ବୁକିଂ କରିବା ହେଲା ସହଜ । ଏଣିକି କେବଳ ଗୋଟେ ମିସ୍ଡ କଲ୍ ରେ ଆପଣ ଗ୍ୟାସ ବୁକ୍ କରିପାରିବେ । ଦେଶର ଯେକୌଣସି ବି ସ୍ଥାନରେ ଆପଣ ୮୪୫୪୯୫୫୫୫୫ ରେ ଗୋଟେ ମିସ୍ଡ କଲ କରି ଆପଣ ଗ୍ୟାସ ସିଲିଣ୍ଡର ବୁକିଂ କରିପାରିବେ । ଶୁକ୍ରବାର ଏକ କାର୍ଯ୍ୟକ୍ରମ ଜରିଆରେ କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଛନ୍ତି ।
ଏହି ସୁବିଧା ଦ୍ୱାରା ଗ୍ୟାସ ବୁକିଂ ଆହୁରୀ ସହଜ ହୋଇଯିବ । ଗ୍ରାହକଙ୍କୁ ସାଧାରଣ ଫୋନ କଲ ପାଇଁ ଲାଗୁଥିବା ଶୁଳ୍କରୁ ରକ୍ଷା ମିଳିବ । କାରଣ ଏହି ନୂତନ ସୁବିଧାରେ କୌଣସି ଶୁଳ୍କ ଲାଗିବ ନାହିଁ । ଏହି ନୂତନ ସୁବିଧା ଖାସକରି ସୁଦୂର ଗ୍ରାମୀଣ ଲୋକଙ୍କ ପାଇଁ ସହାୟକ ହେବ । ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଏହି ଯୋଜନା ବହୁତ ଶୀଘ୍ର ସାରା ଦେଶରେ ଲାଗୁ ହୋଇଯିବ ।
ଏନେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଡିଜିଟାଲ ଇଣ୍ଡିଆର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନର ଦିଗରେ ଏହା ଉପଭୋକ୍ତା କେନ୍ଦ୍ରିତ ଏଲପିଜି ବୁକିଂ ଏବଂ ନୂତନ କନେକ୍ସନ ରେଜିଷ୍ଟ୍ରେସନକୁ ଅଧିକ ସୁବିଧାଜନକ ଏବଂ ମାଗଣା କରିବ । ଏହା ବିଶେଷ ରୂପେ ବୃଦ୍ଧ ଲୋକ ଏବଂ ଗ୍ରାମୀଣ ଅଞ୍ଚଳର ଗ୍ରାହକଙ୍କୁ ଫାଇଦା ପହଁଚାଇବ ।