ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ) : ଦୁନିଆରେ ଟଙ୍କା ଦେଇ ସବୁ କିଛି କିଣା ଯାଇପାରେ । କିନ୍ତୁ ଟଙ୍କା ଦେଇ କେବେ ମନ କି ସମ୍ପର୍କ କିଣାଯାଇ ନପାରେ । କୁହାଯାଏ, ମନ ଏକ କାଚ ଆଇନା ପରି । ଥରେ ଭାଙ୍ଗିଗଲେ, ଆଉ ଯୋଡିବା କଷ୍ଟକର । ତେବେ ବିଭିନ୍ନ କାରଣରୁ ଏହି ସମ୍ପର୍କରେ ଭଟ୍ଟା ପଡିଥିବା ବେଳେ ଏହାର ପଛରେ ସର୍ବାଧିକ କାରଣ ରହିଛି ଟଙ୍କାର । ରିପୋର୍ଟ ପଢ଼ି ଜାଣନ୍ତୁ , କେମିତି ଟଙ୍କା ପାଇଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।
ଦମ୍ପତ୍ତିଙ୍କ ମଧ୍ୟରୁ ଜଣକର ଆୟ ନଥିଲେ :
ସମ୍ପର୍କ ମଧ୍ୟରେ ଟଙ୍କାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରୁ କୌଣସି ଜଣେ ଆୟ କରୁନାହିଁ ତାହେଲେ ସେଇଠି ଟଙ୍କାର ଅଭାବ ଦେଖାଯାଏ । ଫଳରେ ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଆସିଥାଏ ତିକ୍ତତା । ଯାହା ଅନେକ ସମୟରେ ଚିନ୍ତା ବଢାଇଥାଏ । ଅଭାବ ଆସିବା କ୍ଷଣି ଦମ୍ପତ୍ତିଙ୍କ ମଧ୍ୟରେ ମନୋମାଳିନ୍ୟ, ବିବାଦ ଓ ଝଗଡା ଇତ୍ୟାଦି ଦେଖାଯାଏ । ଯାହା ଫଳରେ ଭବିଷ୍ୟତରେ ତାହା ଛାଡପତ୍ରର ରୂପ ନେଇଥାଏ ।
ସାଙ୍ଗ ମାନଙ୍କ ଠାରୁ ଟଙ୍କା ଧାର ଆଣିବା :
ଟଙ୍କାର ଆବଶ୍ୟକତା ପଡିଲେ ଆମେ ମାନେ ସାଧାରଣତଃ ସାଙ୍ଗମାନଙ୍କ ଠାରୁ ଧାର ଆଣିଥାନ୍ତି । କିନ୍ତୁ ଆଣିଥିବା ପଇସା ଠିକ ସମୟରେ ଫେରସ୍ତ ନକଲେ ସମ୍ପର୍କ ପ୍ରଭାବିତ ହୋଇଥାଏ । ବେଳେ ବେଳେ ଏହା ଏତେ ମାତ୍ରାରେ ପ୍ରଭାବିତ ହୋଇଥାଏ ଯେ, ଭବିଷ୍ୟତରେ ଏହା ଗଣ୍ଡଗୋଳ ବା ମାରପିଟର ରୂପ ନେଇଥାଏ ।
ଏହାର ସମାଧାନ :
ଏହିପରି ସମସ୍ୟାରୁ ମୁକୁଳିବା ପାଇଁ ଅନେକ ଉପାୟ ରହିଛି । ଯଦୁ ଦମ୍ପତ୍ତିଙ୍କ ମଧ୍ୟରୁ କେହି ଜଣେ ଆୟ କରୁଛି ତାହାଲେ ଅନ୍ୟ ଜଣଙ୍କୁ ତାହାର ସମ୍ମାନ କରିବା ଉଚିତ୍ । ସବୁବେଳେ ସମ୍ପର୍କରେ ସନ୍ତୁଳନ ବଜାୟ ରଖିବା ଉଚିତ । ଏହାସହ ସବୁବେଳେ ସମ୍ପର୍କକୁ ଉଚ୍ଚ ମାନ୍ୟତା ଦେବା ଦରକାର । ଏହାଦ୍ୱାରା ଟଙ୍କାର ଅସୁବିଧା ଆସିଲେ ମଧ୍ୟ ତାହା ବିନା କୌଣସି ଚିନ୍ତାରେ ସମାଧାନ କରିହେବ ।
କେବଳ ପୁରୁଷ ଯେ ଉପାର୍ଜନ କରିବ ଓ ମହିଳା କରିପାରିବନି ବୋଲି କିଛି ନାହିଁ । ଘରର ପୁଅ-ଝିଅ କିମ୍ବା ପତି-ପତ୍ନୀ ଉଭୟେ ରୋଜଗାର କରିପାରିବେ । ଭାରତରେ ଏମିତି ଅନେକ ପରିବାର ରହିଛି ଯେଉଁଠି ସ୍ୱାମୀ-ସ୍ତ୍ରୀ ଉଭୟ ଆତ୍ମନିର୍ଭରଶୀଳ । ତେଣୁ ଅର୍ଥ ବୋଝରୁ ହାଲୁକା ହେବା ପାଇଁ ଉଭୟ ରୋଜଗାର କରି ପାରନ୍ତି ।
ଆୟ ଦେଖି ଋଣ କରିବାକୁ ଚେଷ୍ଟା କରନ୍ତୁ । ଆବଶ୍ୟକ ନଥିିଲେ, ଋଣ କରନ୍ତୁ ନାହିଁ କିମ୍ବା ସୁଝିବାର କ୍ଷମତା ନଥିଲେ ଋଣ କରିବାକୁ ଆବଶ୍ୟକ ମଣନ୍ତୁ ନାହିଁ । ଛୋଟ ହେଉ ବା ବଡ , କମ୍ ହେଉ କି ଅଧିକ , ଯଦି ଋଣ କରୁଛନ୍ତି, ତେବେ ସଠିକ ସମୟରେ ପରିଶୋଧ କରିବାକୁ ଚେଷ୍ଟା କରନ୍ତୁ । ଯଦି ସମସ୍ୟା ରହିଛି, ତେବେ ଋଣ ଦେଇଥିବା ବନ୍ଧୁ ବା ମହାଜନକୁ ସତ କହି ବୁଝାଇବାକୁ ଚେଷ୍ଟା କରନ୍ତୁ । ବାରମ୍ବାର ସମୟ ନେଇ ଋଣ ପରିଶୋଧ ନକଲେ କେବଳ ଆପଣ ଲଜ୍ଜିତ ହେବେନି ବରଂ ସେହି ଲଜ୍ଜା ଆପଣଙ୍କୁ ଦିନେ ଆତ୍ମହତ୍ୟା କରିବାକୁ ବି ବାଧ୍ୟ କରିପାରେ । ତଥାପି ଧୈର୍ଯ୍ୟ ନ ହରାଇ ପରିସ୍ଥିତିର ମୁକାବିଲା କରନ୍ତୁ ।