ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପ୍ରଖ୍ୟାତ କଥାଶିଳ୍ପୀ ବୀଣାପାଣି ମହାନ୍ତିଙ୍କ ଓଡିଆ ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସମ୍ମାନ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ଦିଆଯିବ । ଏନେଇ ଓଡିଶା ସାହିତ୍ୟ ଏକାଡେମି ପକ୍ଷରୁ ଘୋଷଣା କରାଯାଇଛି । ଗତ କିଛି ଦିନ ତଳେ ପଦ୍ମଶ୍ରୀ ସମ୍ମାନ ପାଇଁ ବୀଣାପାଣିଙ୍କୁ ମନୋନୀତ କରାଯାଇଥିଲା । ବୀଣାପାଣି କସ୍ତୁରୀମୃଗ ଓ ସବୁଜ ଅରଣ୍ୟ, ନବତରଙ୍ଗ, ପାଟଦେଇ, ମଧ୍ୟାନ୍ତର, ବସ୍ତ୍ର ହରଣ ଭଳି ୩୪ଟି ଗଳ୍ପ ସଂକଳନ କରିଛନ୍ତି । ସେହିପରି ମନସ୍ୱିନୀ, ସୀତାର ଶୋଣିତ ଓ କୁନ୍ତି କୁନ୍ତଳା ଉପନ୍ୟାସର ରଚନା କରିଛନ୍ତି ବୀଣାପାଣି ।
ପୂର୍ବରୁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମି, ବିଷୁବ ସମ୍ମାନ, ସାରଳା ସମ୍ମାନ, ସାହିତ୍ୟ ଭାରତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ଭଳି ଅନେକ ସମ୍ମାନ ଓ ପୁରସ୍କାର ମିଳିଛି । ବୀଣାପାଣି ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳର ମୂଳ ବାସିନ୍ଦା । ତେବେ ବର୍ତ୍ତମାନ ସେ କଟକ ବାଦାମବାଡିରେ ରହୁଛନ୍ତି । ଅତିବଡୀ ଜଗନ୍ନାଥ ପୁରସ୍କାର ପାଇ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ଏହା ସହ ଆଗାମି ପିଢି ଆମଠୁ ଭଲ ଲେଖିବେ ବୋଲି ତାଙ୍କର ବିଶ୍ୱାସ ଅଛି ବୋଲି ବୀଣାପାଣି କହିଛନ୍ତି ।