ନୂଆଣିଆ ଚାଳ ଘରର ମାଟି ଅଗଣାରେ ବସିଥିବା ସେଇ ବୁଢୀ ମା, ଯାହାକୁ ଦେଖିଲେ ଲାଗେ, ନାଁ କିଛି ପାଇବାର ଆଶା ନାଁ କିଛି ହରେଇବାର ଭୟ । ଶନା ଜେଜେ ମରିବାର ତିରିଷ ବର୍ଷ ହେଇ ଗଲାଣି ତଥାପି ବୁଢୀ ମା ତା ଜୀବନ ସହିତ ସଂଘର୍ଷ କରି ଏକୁଟିଆ ପଥିକ ଟିଏ ସାଜି ବାଟ ଚାଲିଛି । ଛୋଟ ବେଳୁ ବୁଢୀ ମୁଁ ମାକୁ ଦେଖି ଆସୁଛି ଭାରି ସ୍ନେହୀ ଭାରି ପରୋଉପକାରୀ । ପିଲାଦିନେ ବୋଉ ମତେ ମାରିଲେ ସେ ଦୌଡି ଆସେ ମତେ ନିଜ କୋଳକୁ ନେଇ କେତେ ଗେଲ କରେ । ଆଉ ମୋ ବୋଉକୁ କେତେ କଣ କହିଯାଏ । ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ବୁଢି ମାର ପରିବାର । ଶନା ଜେଜେ ଚାଲିଯିିବା ପରେ କେତେ କଷ୍ଟ କରି ଅଣ୍ଟାରେ ଲୁଗା ଭିଡି ସେ ତିନି ପିଲାଙ୍କୁ ମଣିଷ କରିଥିଲା । ବଡ ପୁଅ କୁଆଡେ ଭୁବନେଶ୍ୱରରେ ଆଉ ତା ସାନ ପୁଅ ତା ପିଲା ଛୁଆଙ୍କୁ ନେଇ ରାଉରକେଲାରେ ରହୁଛି । ଆଉ ବିଚରା ବୁଢି ଲୋକ ଟା ଏଇ ନୂଆଣିଆ ଚାଳ ଘର ଟାରେ ଏକା ପଡି ରହିଛି । ଏଇ କେଇଦିନ ହେଲା ବୁଢି ମାର ଦେହଟା ଯମା ଭଲ ରହୁନାହିଁ ଆଉ ଆଖିକୁ ବି ଆଉ ଭଲ ଦେଖା ଯାଉନାହିଁ ।
ସେଇଥି ପାଇଁ ବୁଢି ମାର ଅନୁରୋଧ ରକ୍ଷା କରି ବୁଢି ଚିଠି ଖଣ୍ଡେ ଲେଖିଥିଲି ବୁଢି ମାର ସାନ ପୁଅକୁ । ଭୁବନେଶ୍ୱରରେ ଗୋଟେ ଭଲ ଡାକ୍ତରଙ୍କୁ ଦେଖାଇବା ପାଇଁ । ହେଲେ ପୁଅର ଉତ୍ତର ଆସିଲା “ବୋଉ ତ ବୁଢୀ ହେଲାଣି ଆଉ କେତେଟା ଦିନ ବା ବଞ୍ଚିବ ତା ପାଇଁ ଟଙ୍କା ଖର୍ଚ୍ଚ କରି ଲାଭ କଣ? ଆଉ ତା ଛଡା ଭୁବନ୍ୱେରରେ ପିଲା ଛୁଆକୁ ନେଇ ରହିବା କେତେ ଯେ କଷ୍ଟ ସେଇଟା ମୁଁ ଜାଣିଛି’’ । ବୁଢି ମା ତା ସାନ ପୁଅକୁ ବି କେଇଥର ଖବର ଦେଲାଣି “ଏକୁଟିଆ ଆଉ ଏ ଘରେ କେତେ ଦିନ ରହିବି । ମୋ ଗୋଡ ହାତ ଆଉ ଚଳୁନାହିଁ ରେ ପୁଅ । ଦୁଇ ଓଳି ଦୁଇମୁଠା ରୋଷେଇ କରି ଖାଇ ବି ପାରୁନାହିଁ । ମତେ ଟିକେ ତୋ ପାଖକୁ ନେଇ ଯା’’ ଏତକ ଶୁଣି ଦେଇ ବଡ ବୋଡୁ ଫଁ କିନା ହୋଇ ଉଠିଲା “ବୋଉ ଏଠି ଆସି ଆଉ ଚଳି ପାରିବେ ନାହିଁ । ଏଠି ଟାଙ୍କି ପାଣିରେ ଗାଧୋଇଲେ ତାଙ୍କୁ ଥଣ୍ଡା ଧରିବ । ଆଉ ବୋଉ ଯୋଉ ଭଳି ଗାଉଁଲି ଲୋକ ଏଠି ସେ ଆମକୁ ଲୋକହସା କରିବା ଛଡା ଆଉ କିଛି ନୁହଁ” । ବୁଢି ମା ପାଖକୁ ଦୁଇ ପୁଅ ଟଙ୍କା ପଠାଇବା ତ ଦୂରର କଥା । ବର୍ଷକୁ ଥରେ ଆସି ବୁଢୀ ମାର ଭଲ ମନ୍ଦ ମଧ୍ୟ ପଚାରି ବୁଝନ୍ତ ିନାହିଁ । ଆଉ ଝିଅ କଥା ନ କହିଲେ ଭଲ ମୋ ବୋଉ କହେ ରମା ନାନୀର ଜନ୍ମ ବେଳେ ବୁଢୀ ମା କୁଆଡେ ସାହିରେ ୧୦ କିଲୋ ରସଗୋଲା ବାଣ୍ଟିଥିଲା ।
ଘରକୁ ଲକ୍ଷ୍ମୀ ଆସିଛନ୍ତି ବୋଲି ସେତେବେଳେ ବୁଢୀ ମା ଗୋଡ କୁଆଡେ ତଳେ ଲାଗୁ ନଥିଲା । ସେ ତା ଝିଅ ପାଖକୁ ଗତ ୨ ମାସ ତଳେ ଖବର ଦେଇଥିଲା । ସେପଟୁ ଉତ୍ତର ଆସିଲା “ବୋଉ ତ ତା ଦୁଇ ପୁଅଙ୍କ ନାମରେ ସବୁ ଜମି ବାଡି କରି ଦେଇଛି । ମୁଁ କାଇଁ ମାହାଳିଆଟାରେ ଆଣି ପୋଷିବି ବା’’ । ୬ ଦିନ ହେଲା ବୁଢୀ ମାକୁ ଭୀଷଣ ଜ୍ୱର । ସୁଦାମା ଭାଇ ଦୋକାନରୁ ୨ ପାନ ଓøଷଧ ଆଣି ଦେଇଥିଲି ହେଲେ ବୁଢି ମା ଦେହରେ ଆଉ ଓøଷଧ ଯାଉ ନାହିଁ । ୬ ଦିନ ହେଲା ବୁଢୀ ମା ପାଟିରେ ମୁଠେ ଦାନା ବ ି ଦେଇ ନାହିଁ । ସକାଳେ ଢୋକେ ଶାଗୁ ପାଣି ଆଣି ବୁଢୀ ମା କୁ ପିଆଇ ଦେଇ ଆସିଥିଲି । ବୁଢୀ ମା ତା ପିଲା ତିନିଟାକୁ ବହୁତ ଖୋଜୁଛି । ସେମାନଙ୍କ ପାଖକୁ ଖବର ଦେଇଥିଲି ହେଲେ ସେମାନେ କାର୍ଯ୍ୟର ବ୍ୟସ୍ତତା ଦେଖାଇ ଆସି ପାରିବେ ନାହିଁ ବୋଲି ସିଧାସିଧା ମନା କରିଦେଲେ । ବେଳ ଆସି ଅଧ ହେଲାଣି ବୁଢୀ ମା ଖାଇବ ବୋଲି ମୋ ବୋଉ ଆଜି ଝଅଟ ରୋଷେଇ କରିଛି । ମୁଁ ନିଜ ହାତରେ ତା ପାଇଁ ଖାଇବା ନେଇ ତା ଘରକୁ ଯାଇଚି ।
ବୁଢି ମାର ସବୁଠାରୁ ଭଲ ଗୁଣ ହେଲା ମୁଁ ଯେତେବେଳେ ବି ତା ଘରକୁ ଯାଏ ଥରେ ବୁଢି ମା ବୋଲି ଡାକି ଦେଲେ ସେ ସାତ କୋଷ ଦୂରରେ ଥିଲେ ବି ଓ କରେ । ହେଲେ ଆଜି ମୁଁ ଶହେ ଥର ଡାକିଲେଣି ହେଲେ ବୁଢି ମାର ଉତ୍ତର ନାହିଁ । ଏତେ ଡାକ ପରେ ବି ମୋ ପାଟି ଥକି ପଡି ନଥାଏ । ମା.. ଏ ବୁଢି ମା .. କୁଆଡେ ଗଲୁ? କହି କହି ଘର ଭିତରକୁ ପସିଗଲି । ଦେଖେତ ବୁଢି ମା କାନ୍ଥକୁ ଡେରି ହୋଇ ବସିଛି । ବର୍ଷବର୍ଷ ଧରି ତା ସହିତ ରହି ଆସିଥିବା ଠେଙ୍ଗାଟା ସେଇଟି ପଡିଛି । ମୋ ପଟିରୁ ବାହାରି ଆସିଲା ହେଇଲୋ ବୁଢି ମା ଏଇଟି ଖୁଣ୍ଟଟା ଭଳି ବସିଛୁ । କାଇଁ ଜବାବ ଦଉନୁ ବା । ହେଲେ କିଛି ଉତ୍ତର ଦେଲା ନାହିଁ ସେ । ତା ଆଖିରୁ ବହି ଆସିଥିବା ଲୁହ ଧାରଟା ବି ଅଧାରେ ସେମିତି ଅଟକି ରହିଛି । ଗୋଟାଏ ହାତରେ ହଲେଇ ଦେଲି ତାକୁ … ତଳକୁ ପଡିଗଲା । ହାତ ଗୋଡ ସବୁ ଥଣ୍ଡା … ବାହାରେ ଶୁଣା ଗଲା ଚାରି ୬ ଟା କୁକୁରର ବିକଟାଳ କାନ୍ଦ